ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ଏଣିକି ସାବାଡ଼ ହେବେ ସରକାରୀ ସେବାରେ ଖିଲାପକାରୀ ଅଫିସର। ଧାର୍ଯ୍ୟ ସମୟରେ ଲୋକଙ୍କୁ ସେବା ନମିଳିଲେ ଗଣିବେ ତଣ୍ଡ। ବିଳମ୍ବ ପାଇଁ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା କଟିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆସିଛି ନୂଆ ଗାଇଡଲାଇନ୍। ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ଧାର୍ଯ୍ୟ ସମୟ ସୀମା ଭିତରେ ସେବା ନମିଳିଲେ ତଣ୍ଡ ଗଣିବେ ଅଫିସର। ସାଧାରଣ ପ୍ରଶାସନ ବିଭାଗ ଆଣିଛି ଏଭଳି ନୂଆ ଗାଇଡ଼ଲାଇନ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର- ଏସଓପି ଆଣିଛି। ଏହି ଏସଓପି ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ। ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ। ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି। ଜରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି। ସମସ୍ତ ବିଭାଗକୁ ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟରେ ସୁଶାସନ ଆଣିବା ପାଇଁ ମୋହନ ସରକାର ସର୍ବଦା ତତ୍ପର। ସେଥିପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତ ଅଫିସରମାନଙ୍କୁ ବାରମ୍ବାର ସଜାଗ କରିଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ଏଭଳି ଗାଇଡଲାଇନ ଆଣିଛି।