ମାଲକାନଗିରି,(ସତ୍ୟପାଠବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଅହେତୁକ ବୃଦ୍ଧି ନେଇ ରାଜ୍ୟସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଛି। ଗୋଟିଏ ମାସରେ ୨୮୧୬ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଖୁବଶୀଘ୍ର ରାଜ୍ୟସ୍ତରୀୟ ଏକ ଟିମ୍ ଜିଲ୍ଲା ଗସ୍ତରେ ଆସି ସ୍ଥିତି ନିରୀକ୍ଷଣ ସହ ନିରାକରଣ ଦିଗରେ ପଦକ୍ଷେପ ନେବ ବୋଲି ସ୍ଥିର ହୋଇଛି। ଭେକ୍ଟର ବର୍ନ ଡିଜିଜ୍ ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆସନ୍ତା ୭ ତାରିଖରେ ରାଜ୍ୟସ୍ତରୀୟ ଟିମ୍ ଜିଲ୍ଲା ଗସ୍ତରେ ଆସିବ ବୋଲି ବିଭାଗୀୟ ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂ ସୂଚନା ଦେଇଛନ୍ତି। କିଛି ବର୍ଷ ହେଲା ଜିଲ୍ଲାରେ କ୍ରମାଗତ ଭାବେ ହ୍ରାସ ପାଉଥିଲା ମ୍ୟାଲେରିଆ । ନିୟନ୍ତ୍ରଣକୁ ଆସିବାରେ ଲାଗିଥିଲା । ହଠାତ୍ ଏହା ଉପରମୁହାଁ ହୋଇଛି। ସଂକ୍ରମଣ ବଢ଼ି ଚାଲିଛି। ଏବର୍ଷ ଜୁନ୍ ସୁଦ୍ଧା ଜିଲ୍ଲାରେ ୪ ହଜାର ୪୨୩ ରୋଗୀ ଚିହ୍ନଟ ହୋଇଥିଲେ। କେବଳ ଜୁଲାଇ ମାସରେ ଆହୁରି ୨ ହଜାର ୮୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ମାସରେ ରୋଗୀ ସଂଖ୍ୟାରେ ଏଭଳି ବୃଦ୍ଧିକୁ ନେଇ ରାଜ୍ୟସ୍ତରରେ ସତର୍କତା ବଢ଼ାଯାଇଛି। ନିକଟରେ ଭୁବନେଶ୍ୱର ଖାରବେଳଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ଜିଲ୍ଲାର ମ୍ୟାଲେରିଆ ସ୍ଥିତି ନେଇ ବିଶେଷ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟବିଭାଗ କମିଶନର ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମ୍ୟାଲେରିଆ ସ୍ଥିତିର ସମୀକ୍ଷା କରାଯାଇଥିଲା। ପରେ ଭେକ୍ଟର ବର୍ନ ଡିଜିଜ୍ ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ ଟିମକୁ ମାଲକାନଗିରି ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଟିମ୍ ଜିଲ୍ଲାର ବିଭିନ୍ନ ବ୍ଲକ୍ ସମେତ ସ୍ୱାଭିମାନ ଅଞ୍ଚଳ ଓ ଆଦିବାସୀ ଆବାସିକ ସ୍କୁଲ ଗସ୍ତ କରି ସ୍ଥିତି ପରଖିବ । ରୋଗୀ ଚିହ୍ନଟ, ଚିକିତ୍ସା, ମଶାରି ବଣ୍ଟନ, ରକ୍ତପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିବ । ତଦନ୍ତ ପରେ ସ୍ୱାସ୍ଥ୍ୟ ବିଭାଗକୁ ବିସ୍ତୃତ ରିପୋର୍ଟ ଦେବ । ଉଲ୍ଲେଖଥାଉ କି, ୨୦୧୬ରେ ଜିଲ୍ଲାରେ ୪୦ ହଜାରରୁ ଅଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ଏହି ସଂଖ୍ୟା ହ୍ରାସ ପାଇଥିଲା। ୨୦୨୪ ପରଠାରୁ ପୁଣି ସଂକ୍ରମଣ ବଢ଼ିବାରୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ବର୍ଷାଋତୁରେ ମଶାଙ୍କ ବଂଶବୃଦ୍ଧି ହେଉଥିବାରୁ ଜୁନରୁ ଅକ୍ଟୋବର ମଧ୍ୟରେ ସଂକ୍ରମଣ ଅଧିକ ହେବା ଆଶଙ୍କା ରହିଛି। ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪ ଲକ୍ଷ ୧୫ ହଜାର ମଶାରି ବଣ୍ଟନ ସରିଥିବା ବିଭାଗୀୟ ଜିଲ୍ଲା ଅଧିକାରୀ ଡା. ସୌଭାଗ୍ୟ ରଞ୍ଜନ ରଣସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମ୍ୟାଲେରିଆ ଦମନ ଲାଗି ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ଆଗାମୀ ଦିନରେ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯିବ। ଅଧିକ ରକ୍ତ ନମୁନା ଯାଞ୍ଚ୍ ଯୋଗୁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଚଳିତବର୍ଷ ମ୍ୟାଲେରିଆ ରୋଗରେ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଗାମୀ ଦିନରେ ଏହାକୁ ଶୂନ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି।