ଜୟପୁର, (ସତ୍ୟପାଠବ୍ୟୁରୋ): ଏଆଇ କଣ ନ କରିପାରେ। ମଝି ନଈରେ ବି ଆପଣଙ୍କୁ ଛିଡ଼ା କରିଦେଇ ପାରିବ। ପ୍ରକୃତ ଓ ଏଆଇ ଫଟୋ ମଧ୍ୟରେ କୌଣସି ଫରକ ଜଣାପଡ଼େ ନାହିଁ। ଏହାର ଫାଇଦା ଉଠାଇ ନଈରେ କୁମ୍ଭୀର ଅଛି କହି ଡରାଇ ଆତଙ୍କ ସୃଷ୍ଟି କରୁଥିଲେ ଦୁଇ ଭାଇ। ଆଜିକାଲିର ଡିଜିଟାଲ୍ ଯୁଗରେ ବହୁଳ ମାତ୍ରାରେ ଏଆଇର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଏଆଇର କିପରି ଅପବ୍ୟବହାର କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି। ନଦୀରେ ୧୦ ଫୁଟିଆ ବିଶାଳକାୟ କୁମ୍ଭୀର ବୁଲୁଥିବା ନେଇ ଏକ ଏଆଇ ପ୍ରସ୍ତୁତି ନକଲି ଫଟୋ ସୋସିଆଲ ମିଡିଆରେ ଛାଡ଼ି ଭୟ ଓ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ବନ ବିଭାଗ ଦୁଇ ଭାଇଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଭାଇ ହେଲେ ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଏବଂ ସୁରେନ୍ଦ୍ର ଭୂମିଆ। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଜୟନ୍ତଗିରି ପଞ୍ଚାୟତ ଅନ୍ତର୍ଗତ ବଡ଼ପଡ଼ା ନଦୀରେ ଏକ ୧୦ ଫୁଟିଆ ବିରାଟ କୁମ୍ଭୀର ବୁଲୁଥିବା ଦାବି କରି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା। ଏହି ଫଟୋଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା, ଫଳରେ ନଦୀକୁ ଗାଧୋଇବାକୁ କିମ୍ବା ମାଛ ଧରିବାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ବୋରିଗୁମ୍ମା ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀ ଏବଂ ଏହାର ଆଖପାଖ ଅଞ୍ଚଳରେ ତଦନ୍ତ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବନ ବିଭାଗ ଜାଣିବାକୁ ପାଇଲା ଯେ, ନଦୀରେ ପ୍ରକୃତରେ କୌଣସି କୁମ୍ଭୀର ନାହିଁ । ବରଂ ଏହା ଏଆଇ ଜରିଆରେ ପ୍ରସ୍ତୁତ କରାଯାଇଥିବା ଏକ ସମ୍ପୂର୍ଣ୍ଣ ନକଲି ଫଟୋ ଥିଲା। ଲୋକଙ୍କ ମଧ୍ୟରେ ବିନା କାରଣରେ ଭୟ ଓ ଆତଙ୍କ ସୃଷ୍ଟି କରିବା ଏବଂ ମିଥ୍ୟା ସୂଚନା ପ୍ରସାର କରିବା ଅପରାଧରେ ବୋରିଗୁମ୍ମା ବନ ବିଭାଗ ତତ୍ପରତା ପ୍ରକାଶ କରିଥିଲୋ। ଏହି ମିଥ୍ୟା ଫଟୋ ଭାଇରାଲ୍ କରିବାରେ ସଂପୃକ୍ତ ଥିବା ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ କାବୁ କରି ଗିରଫ କରିଛି। ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସୋସିଆଲ ମିଡିଆରେ ଏଭଳି ଭ୍ରମାତ୍ମକ ଏବଂ ଆତଙ୍କ ସୃଷ୍ଟିକାରୀ ଫଟୋ କିମ୍ବା ଭିଡିଓ ସେୟାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଗକୁ ମଧ୍ୟ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
