ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ବାର୍ କାଉନସିଲ ଅଫ୍ ଇଣ୍ଡିଆ (BCI) ର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ନବଗଠିତ ବିସିଆଇ ଯେପର୍ଯ୍ୟନ୍ତ ନିଜର ସ୍ଥାୟୀ ପଦାଧିକାରୀ ଚୟନ କରିନାହିଁ, ସେପର୍ଯ୍ୟନ୍ତ ମନନ ମିଶ୍ର କେବଳ ଜଣେ ‘କାମଚଳା’ ବା କେୟାରଟେକର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇନଥିବାରୁ ତାଙ୍କୁ ଜଣେ ପୂର୍ଣ୍ଣକାଳୀନ ନିର୍ବାଚିତ ଅଧ୍ୟକ୍ଷ ଭାବେ ବିବେଚନା କରାଯାଇପାରିବ ନାହିଁ ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ, ବିସିଆଇର କୌଣସି ପ୍ରମୁଖ ନୀତିଗତ ନିଷ୍ପତ୍ତି ନେବା ପୂର୍ବରୁ ଅଧ୍ୟକ୍ଷଙ୍କୁ ବିସିଆଇର ସ୍ଥାୟୀ ସଦସ୍ୟ ତଥା ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲଙ୍କ ସହ ବାଧ୍ୟତାମୂଳକ ଭାବେ ପରାମର୍ଶ କରିବାକୁ ପଡ଼ିବ। ମନନ ମିଶ୍ର ବର୍ତ୍ତମାନ କେବଳ ବିସିଆଇର ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକର ତଦାରଖ କରିପାରିବେ ।
ରାଜ୍ୟ ବାର୍ କାଉନସିଲରେ ପୂର୍ବରୁ ହୋଇଥିବା ନିର୍ବାଚନ ଅନୁସାରେ ଯେପର୍ଯ୍ୟନ୍ତ ବାର୍ କାଉନସିଲ ଅଫ୍ ଇଣ୍ଡିଆର ନୂତନ ନିର୍ବାଚନ ହୋଇନାହିଁ, ସେପର୍ଯ୍ୟନ୍ତ ଏହି କାମଚଳା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଅଦାଲତ କହିଛନ୍ତି।
