ଢେଙ୍କାନାଳ, (ସତ୍ୟପାଠବ୍ୟୁରୋ) : ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଓ ଡିଆରଡିଏ ପିଡ଼ି ସୂର୍ଯ୍ୟନାରାୟଣ ଦାଶ, ଟ୍ରାନ୍ସପୋର୍ଟ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ପ୍ରତେକଙ୍କୁ ୩ହଜାର ଟଙ୍କା ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆହୁରି ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୦୩ ମସିହାରେ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଚାଉଳ ଓ ଗହମ ପରିବହନରେ ମନ ମାନି କରାଯାଇଥିଲା। ଠିକାଦାରଙ୍କୁ ସୁହାଇଲା ଭଳି ଅତ୍ୟଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରାୟ ୮ଲକ୍ଷ ୯୯ହଜାର ୩୬ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଗତ ୬.୩ ୨୦୦୩ ରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ବିଚାର କରି ଭିଜିଲାନ୍ସ କୋର୍ଟ ଏହି ରାୟ ଦେଇଛନ୍ତି।
