ତେହେରାନ(ସତ୍ୟପାଠବ୍ୟୁରୋ) : ପଶ୍ଚିମ ଇରାନରେ ଏକ ବଡ଼ ଧରଣର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଏକ ସଡ଼କ ଦୁର୍ଘଟଣା ପରେ ଇନ୍ଧନ ଟ୍ୟାଙ୍କରଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ନିକଟରେ ଥିବା ଅନେକ ଯାନବାହନରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ସାତ ଜଣ ଆହତ ମଧ୍ୟ ହୋଇଛନ୍ତି। ସରକାରୀ ସମାଚାର ଏଜେନ୍ସି ଆଇଆରଆଇବି ଅନୁଯାୟୀ, କୁର୍ଦିସ୍ତାନ ପ୍ରଦେଶର ସାନନ୍ଦାଜ କାଉଣ୍ଟି ଏବଂ ହାମାଦାନ ପ୍ରଦେଶର ହାମାଦାନ କାଉଣ୍ଟି ମଧ୍ୟରେ ଇଣ୍ଟରସିଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କୁର୍ଦିସ୍ତାନ ମେଡ଼ିକାଲ ସାଇନ୍ସ ବିଶ୍ବବିଦ୍ୟାଳୟର ଜରୁରୀକାଳୀନ ଚିକିତ୍ସା ସେବାର ମୁଖ୍ୟ ବାବାକ୍ ହୋଦେଇ କହିଛନ୍ତି, ବିସ୍ଫୋରଣରେ ନିକଟରେ ଚଳାଚଳ କରୁଥିବା ଅନେକ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ସାନନ୍ଦଜର ଏକ ହସ୍ପିଟାଲକୁ ନେଇସାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
