ବାରିପଦା(ସତ୍ୟପାଠବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳରେ ଜଣେ ଯୁବକ ତେଲେଙ୍ଗା କଟୁରୀ ଧରି ଗାଁ ରାସ୍ତାରେ ବୁଲି ଆତଙ୍କ ସୃଷ୍ଟି କରିଛି। ଏହା ସହ ଶେଷରେ ଏକ ଘରେ ପଶି ୧୦ ବର୍ଷର ନାବାଳିକାଙ୍କୁ ଆକ୍ରମଣ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଲକ୍ଷ୍ମଣ ମାରାଣ୍ଡି ସନ୍ଧ୍ୟା ସମୟରେ ହାତରେ ଏକ ତେଲେଙ୍ଗା କଟୁରୀ ଧରି ଚଉଦା ଗାଁ ଦାଣ୍ଡରେ ବୁଲୁଥିଲା । ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ସମୟ ପରେ ସେ ହଠାତ୍ ଜଣଙ୍କ ଘର ଭିତରକୁ ପଶିଯାଇ ସେଠାରେ ଥିବା ୧୦ ବର୍ଷର ଜଣେ ନାବାଳିକାଙ୍କ ଉପରେ କଟୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣରେ ନାବାଳିକାଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ସେ ଗୁରୁତର ଆହତ ହୋଇଥିଲେ।
ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ନାବାଳିକାଙ୍କୁ ଉଦଳା ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ସୂଚନା ମିଳିଛି। ଅନ୍ୟପଟେ ଘଟଣାର ଖବର ପାଇ ଉଦଳା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲକ୍ଷ୍ମଣ ମାରାଣ୍ଡିଙ୍କୁ ଅଟକ ରଖି ଥାନାକୁ ନେଇଛି । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।