ବାଲେଶ୍ବର, (ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଭୋଗରାଇ ନିକଟ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାଙ୍ଗ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏଭଳି ୫ଟି ଓରାଙ୍ଗଉଟାଙ୍ଗ ଶାବକଙ୍କୁ କିଏ ଓ କେଉଁ ପରିସ୍ଥିତି ଏଠାରେ ଛାଡିଲେ ସେ ନେଇ ତନାଘନା ଆରମ୍ଭ ହୋଇଛି। ଏହି ଘଟଣାର ତଦନ୍ତ ଏସଟିଏଫ ଡିଆଇଜି କନୱର ବିଶାଲ ସିଂଙ୍କ ତତ୍ତ୍ବାବଧାନରେ ଚାଲିଛି। ସେ ପ୍ରେସମିଟରେ କହିଛନ୍ତି, ଏହି ଜୀବମାନେ ଆମ ଦେଶର ନୁହେଁ। ଏହା ଇଣ୍ଡୋନେସିଆର ବୋର୍ନିଓରେ ରହୁଥିବା ଜୀବ। ତେବେ ଏଠାକୁ ଆସିବା ନେଇ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହ କରି ତଦନ୍ତ ଚାଲିଛି ବୋଲି ଏସଟିଏଫ ଡିଆଇଜି କନୱର ବିଶାଲ ସିଂ କହିଛନ୍ତି। ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ। ଏସଟିଏଫ ସ୍ପେଶାଲ ଟିମ ବାଲେଶ୍ବର ଭୋଗରାଇରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବାଲେଶ୍ବର ଏସପିଙ୍କ ନେତୃତ୍ବରେ ଏକ ଟିମ ଖୋଲତାଡ଼ କରୁଥିବାବେଳେ ବାଲେଶ୍ବର ଡିଏଫଓ, ଡିଆଇଜିଙ୍କ ସହ ଆଲୋଚନା କରାଯାଉଛି ବୋଲି ଏସଟିଏଫ ଡିଆଇଜି କହିଛନ୍ତି । ସ୍ଥାନୀୟ ତଥ୍ୟ, ସାଇଣ୍ଟିଫିକ ପ୍ରମାଣକୁ ଆଧାର କରି ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଜାରି ରହିଛି। ଅନ୍ୟପଟେ ଓରାଙ୍ଗଉଟାଙ୍କ ଉଦ୍ଧାର ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନନ୍ଦନକାନନରେ ଯତ୍ନର ସହ ଓରାଙ୍ଗଉଟାଙ୍ଗଙ୍କୁ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ନନ୍ଦନକାନନରେ ସ୍ଥାୟୀ ଭାବେ ରଖିବା ନେଇ ସେଣ୍ଟାଲ ଜୁ ଅଥରିଟିକୁ ଅନୁମତି ମଗାଯାଇଛି । ଓରାଙ୍ଗଉଟାଙ୍ଗ ନନ୍ଦନକାନନରେ ରହିଲେ ଏଠାକାର ଶୋଭା ବଡ଼ିବ, ପର୍ଯ୍ୟଟକ ବଢ଼ିବେ ବୋଲି ସେ କହିଛନ୍ତି। ତେବେ ତାକୁ କିଏ ଏଠାକୁ ଆଣିଲା, କେଉଁଠୁ ଅଣାଗଲା ତାର ତଦନ୍ତ ଚାଲିଛି। ଷ୍ଟେସନ, ବିମାନ ବନ୍ଦରରେ ଯାଞ୍ଚ ଚାଲିଥିବାବେଳେ ସିସିଟିଭି ଚେକ କରାଯାଉଛି। ଏହାସହ ଜଳପଥ କୋଷ୍ଟଗାର୍ଡ ସହ ବି ଆଲୋଚନା ଚାଲିଛି। ଦେଶର ବିଭିନ୍ନ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି। ଯଦି କେହି ଚିଡିଆଖାନାରୁ ଚୋରି କରି ଆଣିଥିବେ, ସେନେଇ କଥାବାର୍ତ୍ତା ଚାଲିଛି। ସମସ୍ତ ଦିଗରୁ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଭୋଗରାଇରୁ ଓରାଙ୍ଗଉଟାଙ୍ଗ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଓରାଙ୍ଗଉଟାନ ଠାବ ହେବା ପୂର୍ଵ ରାତିରେ ସେହି ଜଙ୍ଗଲ ରାସ୍ତାରେ ଏକ କଳା ରଙ୍ଗର ଥାର ଯିବା ଆସିବା କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୂର୍ବ ରାତି ୧୧.୨୫ ରେ ଯାଇଥିଲା ଏବଂ ରାତି ୧୧.୪୦ରେ ସେହି ବାଟରେ ଫେରିଥିଲା । ଉକ୍ତ ଗାଡ଼ିରେ ବିଦେଶୀ ଜନ୍ତୁଙ୍କୁ କେହି ଆଣି ଛାଡ଼ି ଦେଇ ଥାଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ସେହିପରି ଏହି ଓରାଙ୍ଗଓଟାନ୍‌ ଶାବକମାନେ ପ୍ରାୟ ବର୍ଷକର ବୋଲି ଜଣାପଡ଼ିଛି। ଏହି ବୟସରେ ସେମାନେ ନିଜେ ନିଜର ଜୀବନ ଚଳାଇବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇନଥାନ୍ତି । ଓରାଙ୍ଗଓଟାନ୍‌ ଶାବକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଆଙ୍କ ଉପରେ ନିର୍ଭର କରିଥାନ୍ତି । ପ୍ରାୟ ୬ରୁ ୮ ବର୍ଷ ପର୍ଯ୍ୟନ୍ତ ମାଆ ସହିତ ରହିବା ସମୟରେ ଶାବକମାନେ ଜୀବନର ଅନେକ ଜରୁରୀ କୌଶଳ ଶିଖିଥାନ୍ତି । କେଉଁ ଫଳ ଖାଇବା ଉଚିତ, କେଉଁଠାରେ ଖାଦ୍ୟ ଖୋଜିବାକୁ ହେବ, କେଉଁ ଗଛରେ ରହିବା ସୁରକ୍ଷିତ ଏସବୁ ମାଆ ସେମାନଙ୍କୁ ଶିଖାଇଥାନ୍ତି । ତେଣୁ ଏତେ କମ୍ ବୟସରେ ମାଆଠାରୁ ଅଲଗା ହୋଇଯିବା ଶାବକଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଓରାଙ୍ଗଓଟାନ୍‌ର ପ୍ରାକୃତିକ ବାସସ୍ଥାନ ମୁଖ୍ୟତଃ ଇଣ୍ଡୋନେସିଆର ବୋର୍ନିଓ ଓ ସୁମାତ୍ରା ଦ୍ୱୀପର ଉଷ୍ଣମଣ୍ଡଳୀୟ ବର୍ଷା ଜଙ୍ଗଲରେ ବାସ କରନ୍ତି । ତେଣୁ ଭାରତର କୌଣସି ଜଙ୍ଗଲରେ ସ୍ୱାଭାବିକ ଭାବେ ଏମାନେ ପହଞ୍ଚିଥିବା ସମ୍ଭାବନାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ତେଣୁ ଭୋଗରାଇରୁ ମିଳିଥିବା ଏହି ଶାବକମାନେ କେଉଁଠାରୁ ଆସିଲେ, କିଏ ସେମାନଙ୍କୁ ଏଠାକୁ ଆଣିଲା ଏବଂ ମାଆଠାରୁ କିପରି ଅଲଗା ହେଲେ ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।