ସମଗ୍ର ଦେଶରେ ଜଙ୍ଗଲ ଅଧିକାର ଆଇନର ଚରମ ଉଲ୍ଲଂଘନ ହେଉଛି। କେନ୍ଦ୍ରର ଏନ.ଡି.ଏ (NDA) ସରକାର ଏବଂ ରାଜ୍ୟ ସରକାରମାନେ ବୃହଦ ପ୍ରକଳ୍ପ ପାଇଁ ଦ୍ରୁତଗତିରେ ଜଙ୍ଗଲ ଜମି ହସ୍ତାନ୍ତର କରି ଜଙ୍ଗଲ ଧ୍ୱଂସ କରିବା ସହ ଲୋକଙ୍କ ଅଧିକାର ଛଡ଼ାଇ ନେଉଛନ୍ତି ଏବଂ ଜଙ୍ଗଲବାସୀଙ୍କ ଜୀବିକାକୁ ବିପନ୍ନ କରୁଛନ୍ତି। ଏହି ଐତିହାସିକ ଆଇନକୁ ଦୁର୍ବଳ କରିବା ଦିଗରେ କେନ୍ଦ୍ର ଏନ.ଡି.ଏ ସରକାରର ସଦ୍ୟତମ ପ୍ରହାର ହେଲା, ଏଣିକି ଜଙ୍ଗଲ ଜମି ହସ୍ତାନ୍ତର ବେଳେ ଗ୍ରାମସଭାର ଅନୁମୋଦନ ବାଧ୍ୟତାମୂଳକ ନୁହେଁ ବୋଲି ଆଦିବାସୀ ମନ୍ତ୍ରଣାଳୟ ଏକ ବିବାଦୀୟ ସ୍ପଷ୍ଟୀକରଣ ଜାରିକରିଛି |
୩୧ ଅଗଷ୍ଟ ୨୦୨୬ ଅଫିସ ମେମୋରାଣ୍ଡମ ଜରିଆରେ ମନ୍ତ୍ରଣାଳୟ ଜଣାଇଛି ଯେ, ଜଙ୍ଗଲ ଜମି ହସ୍ତାନ୍ତର ବେଳେ ଗ୍ରାମସଭାର ସହମତି ନେବା ପ୍ରକ୍ରିୟା ତା’ର କାର୍ଯ୍ୟ ପରିସରଭୁକ୍ତ ନୁହେଁ ବୋଲି ଏକ ସ୍ପଷ୍ଟୀକରଣ ଦେଇଛି | ମନ୍ତ୍ରାଳୟର ଏଭଳି ନିଷ୍ପତ୍ତି ବୃହଦ କମ୍ପାନୀ, ଖଣି ସଂସ୍ଥା ଓ ଠିକାଦାରମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ କରାଯାଇଛି ବୋଲି ଅଭିଯୋଗ ହୋଇଛି|
ପ୍ରକାଶ ଥାଉକି, ଜଙ୍ଗଳ ଜମିକୁ ଅଣଜଙ୍ଗଲ କାର୍ଯ୍ୟ ନିମିତ୍ତ ହସ୍ତାନ୍ତର କରିବା ବେଳେ ଆଦିମ ଜନଜାତି ଏବଂ ପାରମ୍ପରିକ ଜଙ୍ଗଲ ଆଦିବାସୀ ସହମତି ଆବଶ୍ୟକ କି ନୁହେଁ, ଏ ସମ୍ପର୍କରେ ଆସିବାସୀ ମନ୍ତ୍ରଣାଳୟ ନିଜର କୌଣସି ଭୂମିକା ଅବା ପକ୍ଷ ନାହିଁ ବୋଲି ସ୍ପଷ୍ଟ କରିଛି । ଆସିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଆଦିବାସୀଙ୍କ ଏକ ଜାତୀୟ ସ୍ତରୀୟ ସଂଗଠନ “ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ଅଧିକାର ଅଭିଯାନ” ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ କଡା ଭାବେ ନିନ୍ଦା କରୁଛି । ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ ହେବାର ବିଷୟ ଏହା ଯେ, କେନ୍ଦ୍ର ସରକାରର ଏକ ମନ୍ତ୍ରଣାଳୟ ପ୍ରକଳ୍ପ ଡେଭେଲପର, ଠିକାଦାର ଏବଂ ବୃହଦ କମ୍ପାନୀ ଗୁଡିକୁ ଖୁସି କରିବା ଲକ୍ଷ୍ୟ ନେଇ ଏତେ ସହଜ ଓ ହାଲୁକା ଭାବେ ନିଜର ଆଇନଗତ ଦାୟିତ୍ଵରୁ ମୁଣ୍ଡ ଖସାଇ ନେଉଛି । ଗତ କୋଡିଏ (୨୦) ବର୍ଷ ଧରି ଏଥି ନିମନ୍ତେ ମନ୍ତ୍ରଣାଳୟର ସହମତି ଆଣିବା ଆଇନତଃ ସ୍ଥିରିକୃତ ପ୍ରାବଧାନ ରହିଆସିଥିଲା । ତେବେ ଏପରି ଗଳାବାଟ ଦେଇ ଏହି ଆଇନଗତ ପ୍ରବଧାନକୁ ହଟାଇଦେବା, ଏକ ସଙ୍ଘରେ ଗଣତନ୍ତ୍ର ବିରୋଧି, ଅସାମ୍ବିଧାନିକ ଏବଂ ଲୋକ ବିରୋଧୀ ଉଦ୍ଦେଶ୍ୟକୁ ପଦାରେ ପକାଇଛି । ସମଗ୍ର ଦେଶରେ ଜଙ୍ଗଳ ଅଧିକାର ଆଇନର ଚରମ ଉଲ୍ଲଂଘନ ହେଉଛି । କେନ୍ଦ୍ରର ଏନ.ଡି.ଏ (N.D.A.) ସରକାର ଏବଂ ରାଜ୍ୟ ସରକାରମାନେ ଜଙ୍ଗଲ ଧ୍ଵଂସ କରିବା ସହ, ଜଙ୍ଗଲ ଉପରୁ ଲୋକମାନଙ୍କ ଅଧିକାର ଛଡାଇ ନେବା ଏବଂ ଦ୍ରୁତଗତିରେ ବୃହଦ ପ୍ରକଳ୍ପ ଗୁଡିକ ନିମିତ୍ତ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବକ ଜଙ୍ଗଲ ଅଧିବାସୀମାନଙ୍କ ଜୀବିକାକୁ ବିପନ୍ନ କରିଚାଲିଛନ୍ତି । ଏତଦଦ୍ୱାରା ଏହି ଐତିହାସିକ ଜଙ୍ଗଲ ଅଧିକାର ଆଇନକୁ ଦୁର୍ବଳ କରିବା ଦିଗରେ କେନ୍ଦ୍ର ଏନ.ଡି.ଏ (N.D.A.) ସରକାରର ଏହା ସଦ୍ୟତମ ପ୍ରହାର ।
ଏହି ଘଟଣାର ପ୍ରଚ୍ଛଦପଟ ଏହି ପ୍ରକାରେ ଅଟେ । ୩୧ ଅଗଷ୍ଟ, ୨୦୨୬ରେ ଆଦିବାସୀ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ଏକ ଅଫିସ ମେମୋରାଣ୍ଡମ ଜରିଆରେ କୁହାଯାଇଛି ଯେ, ଜଙ୍ଗଲ ଅଧିକାର ଆଇନ ୨୦୦୬ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାରେ ଅନୁମୋଦନ ନିମନ୍ତେ ଗ୍ରାମସଭା ଗୃଡ଼ିକର ସହମତି ନେବାର ବ୍ୟବସ୍ଥା ନାହିଁ । ଏଣୁ ଏହି ମାମଲା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କାର୍ଯ୍ୟ ପରିସର ମଧ୍ୟରେ ଆସୁନାହିଁ ।
ଆଇନଗତ ତଥା ତଥ୍ୟଗତ ଭାବେ ପ୍ରମାଦପୂର୍ଣ୍ଣ ହେବା ସହ ଏହି ଅଫିସ ମେମୋରାଣ୍ଡମ ମନ୍ତ୍ରଣାଳୟ ଦ୍ଵାରା ନିଜର ଦାୟିତ୍ଵ ନିର୍ବାହରେ ଅବହେଳା ଏବଂ ଆଇନ ଦ୍ଵାରା ନିହିତ ନିଜର ବୈଧାନିକ ଅଧିକାର ପୂରଣ ନକରିବାର ମନୋଭାବକୁ ସ୍ପଷ୍ଟ କରୁଅଛି । ପ୍ରାଥମିକ ଭାବେ , ୨୦୦୫ ମସିହାର ଆଦ୍ୟକାଳରେ ଯେତେବେଳେ ଜଙ୍ଗଲ ଅଧିକାର ଆଇନ ପରି ଏକ ଆଇନ ଆଣିବାର ପରିକଳ୍ପନା କରାଗଲା, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ବିଚାରକୁ ନିଆଯାଇଥିଲା ଯେ, ଏପରି ଏକ ଆଇନର ଚିଠା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବାର ଅଧିକାର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ କରାଯାଇପାରିବ ନାହିଁ, ଅପରନ୍ତୁ ଏହି ଦାୟିତ୍ଵ ଆଦିବାସୀ ମନ୍ତ୍ରଣାଳୟ ହିଁ ନିର୍ବାହ କରିବ ।
ଏହି ନିଷ୍ପତ୍ତିକୁ ବୈଧାନିକ ଭିତ୍ତି ଦେବାପାଇଁ ମାର୍ଚ୍ଚ ୨୦୦୫ରେ ଭାରତ ସରକାରଙ୍କ (ଆଲୋକେସନ ଅଫ ବିଜିନେସ ରୁଲ) ୧୯୬୧ରେ ପରିବର୍ତ୍ତନ କରାଯାଇ ଆଦିବାସୀ ମନ୍ତ୍ରଣାଳୟକୁ ଏ ସମ୍ବନ୍ଧୀୟ ସମସ୍ତ ବ୍ୟାପାରର ଦାୟିତ୍ଵ ଦିଆଗଲା । ଏହାଦ୍ଵାରା ଜଙ୍ଗଲ ଅଧିବାସୀମାନଙ୍କ ଜଙ୍ଗଲ ଉପରେ ଅଧିକାର ସମ୍ବନ୍ଧୀୟ ସମସ୍ତ ନୀତିନିୟମ ପ୍ରଣୟନର ଉତ୍ତରଦାୟିତ୍ଵ ଆଦିବାସୀ ମନ୍ତ୍ରଣାଳୟର କାର୍ଯ୍ୟ ପରିସରରେ ଅନ୍ତର୍ଭୁକ୍ତ ହେଲା ।
ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୧୧, ଏହି ବୈଧାନିକ ଅଧିକାର ଓ ଦାୟିତ୍ଵକୁ ପୁନରାୟ ଦୋହରାଇ ସ୍ପଷ୍ଟ କରେ ଯେ, ଆଦିବାସୀ ମନ୍ତ୍ରଣାଳୟ ଏହି ଆଇନର ବିଧିବିଧାନ କାର୍ଯ୍ୟକାରୀ କରିବା ଲାଗି ଏକମାତ୍ର ନୋଡାଲ ଅଥୋରିଟି ଅଟେ । ସଂସଦରେ ସ୍ଵୀକୃତି ଲାଭ କରିବା ପରସମୟଠାରୁ ହିଁ, ଆଦିବାସୀ ମନ୍ତ୍ରଣାଳୟ ଏହି ଆଇନ ବାସ୍ତବିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’ର ପୁଙ୍ଖାନୂପୂଙ୍ଖ ପର୍ଯ୍ୟବେକ୍ଷଣ କରିବା ସହ ଅସଲ ଅର୍ଥ ଏବଂ ମନୋଭାବର ସହ ଏହା ପାଳନ କରାଯିବା ନେଇ ଅନେକ ନୀତିନିୟମ, ଚିଠା, ଘୋଷଣାନାମା ଆଦି ବିଜ୍ଞପ୍ତି ଜାରି କରିଛି । ଆଇନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଏହା ଯେ, ୧୯୮୦ ଜଙ୍ଗଲ ସଂରକ୍ଷଣ ଆଇନ (ଏହା ପରଠାରୁ ସଂଶୋଧିତ ନାମ) ଯୋଗେ ଜଙ୍ଗଲ ଜମି ହସ୍ତାନ୍ତର ସମୟରେ ଆବଶ୍ୟକ ଗ୍ରାମସଭାର ସହମତି ନିମନ୍ତେ ଆଦିବାସୀ ମନ୍ତ୍ରଣାଳୟକୁ ବାରମ୍ବାର ନୋଡାଲ ଅଥୋରିଟି ଭାବେ ସ୍ଵୀକାର କରାଯାଇଛି ।
ପୁନଶ୍ଚ ତା୩୧.୦୮.୨୦୨୬ରିଖରେ ଜାରି କରାଯାଇଥିବା ଅଫିସ ମେମୋରାଣ୍ଡମରୁ ସିଧାସଳଖ ଭାବେ ଜଣାପଡୁଛି ଯେ, ଆଦିବାସୀ ମନ୍ତ୍ରଣାଳୟର ମନ୍ତ୍ରୀ ତଥା ଅଫିସର ମାନେ ୧୯୮୦ ଜଙ୍ଗଲ ସଂରକ୍ଷଣ ଆଇନ ସହିତ ଆଙ୍ଗାଙ୍ଗୀ ଭାବେ ଜଡିତ ଏବଂ ଏଥିରେ ସନ୍ନିବିଷ୍ଟ ଷ୍ଟେଜ-୨ ଜଙ୍ଗଲ ଜମି ହସ୍ତାନ୍ତରୀକରଣ ପ୍ରକ୍ରିୟାର ବିଷୟବସ୍ତୁ ତଥା ଏହି ଆଇନର ବିଭିନ୍ନ ନୀତି-ନିର୍ଦ୍ଦେଶାବଳୀକୁ ଆଦୌ ପଢିନହାନ୍ତି । ଯଦିଓ ଜଙ୍ଗଲ ସଂରକ୍ଷଣ ଆଇନ ଅନୁଯାୟୀ ଗ୍ରାମସଭାର ସହମତି ହେଉଛି ପ୍ରାଥମିକ ଆବଶ୍ୟକତା । ହସ୍ତାନ୍ତରୀକରଣ ପ୍ରକ୍ରିୟାର ଶେଷ ପର୍ଯ୍ୟାୟ ପୂର୍ବରୁ ଏହି ନିୟମର ପାଳନ ଅନିର୍ବାର୍ଯ୍ୟ ତ ଅଟେ, ଅପରନ୍ତୁ କେତେକ କ୍ଷେତ୍ରରେ ଷ୍ଟେଜ-୨ ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିମନ୍ତେ ଆବଶ୍ୟକ “କାର୍ଯ୍ୟାରମ୍ଭ ଅନୁମତି” ପୂର୍ବରୁ ଗ୍ରାମସଭାରେ ସହମତି ନେବା ଅନିର୍ବାର୍ଯ୍ୟ ଅଟେ ।
ନିୟମଗିରି ଫଇସଲା (୨୦୧୩, ୬ SCC ୪୭୬) ଅନୁଯାୟୀ ଜଙ୍ଗଲ ଜମି ହସ୍ତାନ୍ତରୀକରଣ ପ୍ରକ୍ରିୟାର ଅନୁମୋଦନ ନିମନ୍ତେ ଗ୍ରାମସଭାମାନଙ୍କୁ ପୂର୍ବରୁ ଅବଗତ କରାଇ ସେମାନଙ୍କ ସ୍ଵାଧୀନ ସହମତି ହାସଲ କରିବା ଏକ ବାଧ୍ୟତାମୂଳକ ସର୍ତ୍ତ ଅଟେ । ଏହି ବିଚାର ଭାରତର ସମ୍ବିଧାନର ଅନୁଚ୍ଛେଦ ୧୪୧ ଅଧୀନରେ ସମଗ୍ର ଦେଶଲାଗି ଏକ ଅଲଙ୍ଘ୍ୟ ନିର୍ଦ୍ଦେଶ । ଅସଲରେ ୨୦୧୪ ମସିହାରେ ହିଁ ଖୋଦ ଆଦିବାସୀ ମନ୍ତ୍ରଣାଳୟ ଏକ ପତ୍ର ମାଧ୍ୟମରେ ଏହା ଦୋହରାଇଥିଲା ଯେ, ଜଙ୍ଗଲ ଅଧିକାର ଆଇନକୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ । କୌଣସି ବିଭାଗ ଏପରି କରିପାରିବ ନାହିଁ ଏବଂ ଏଥିରେ ଖିଲାପ ହେଲେ ନ୍ୟାୟାଳୟର ହସ୍ତକ୍ଷେପ ନିଶ୍ଚିତ । ଗ୍ରାମସଭା ଦ୍ଵାରା ଜଙ୍ଗଲର ପରିଚାଳନା, ପ୍ରଶାସନ ଏବଂ ସଂରକ୍ଷଣ ମଧ୍ୟରେ ହିଁ ଜଙ୍ଗଲ ଜମି ହସ୍ତାନ୍ତରର ନିଷ୍ପତ୍ତି ସନ୍ନିହିତ ଅଟେ । ଏହି କ୍ଷମତା ପେସା ଏବଂ ସାମ୍ବିଧାନିକ ପ୍ରାବଧାନରେ ନିହିତ ଥିବା ସହ ଜଙ୍ଗଲ ଅଧିକାର ୨୦୦୬ର ମୂଳଭୂତ ବିଷୟ ଅଟେ ।
ନିର୍ଦ୍ଦିଷ୍ଟ ଭାବରେ କହିଲେ, NHPCର ନିଜର ପ୍ରକଳ୍ପ କାର୍ଯ୍ୟରେ ଗ୍ରାମସଭାର ସହମତି ମିଳିବା ନେଇ ବିଳମ୍ବ ହେବାରୁ ସରକାରୀ ଉଦ୍ୟୋଗ ସଂସ୍ଥା ପାଇଁ ଉଦ୍ଦିଷ୍ଟ ସଂସଦୀୟ କମିଟି (ଅଷ୍ଟାଦଶ ଲୋକସଭା) ଅଗଷ୍ଟ ୦୬ ତାରିଖ ୨୦୨୬ ଦିନ ସଂସଦରେ ଆଣିଥିବା ୩୧ତମ ରିପୋର୍ଟର ଫଳଶ୍ରୁତି ଭାବେ ଆଦିବାସୀ ମନ୍ତ୍ରଣାଳୟ ଏହି ୩୧ ଅଗଷ୍ଟ ଅଫିସ ମେମୋରାଣ୍ଡମ ଜାରି କରିଛି । ଏହି କମିଟି NHPCର ପ୍ରସ୍ତାବକୁ ଦୋହରାଇ କହିଛି ଯେ, ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆବଶ୍ୟକ ହେଉଥିବା ଆଦ୍ୟ ଅନୁକୂଳ ସ୍ଥିତି ଯାଞ୍ଚ (Pre feasibility stage) ପୂର୍ବରୁ ହିଁ ଏହି ଗ୍ରାମସଭାରେ ଅନୁମତି ପ୍ରକ୍ରିୟା ସମାପ୍ତ ହୋଇଯିବା ଉଚିତ । ବିଚାର ଯୋଗ୍ୟ, ଏହିଭଳି ସଂସଦୀୟ କମିଟିମାନେ (ଯେପରି ଷ୍ଟିଲ, କୋଇଲା, ଖଣି ଉପରେ ଗଠିତ କମିଟି, ଯେଉଁଥିରେ BJP MP ମାନେ ଅଧ୍ୟକ୍ଷତା କରୁଅଛନ୍ତି ।) ଅତି ତରବରିଆ ଭାବରେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପୂର୍ବକ ଏହାକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଆବଶ୍ୟକ ଗ୍ରାମସଭାର ଅନୁମତି ସମ୍ବନ୍ଧୀୟ ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ପ୍ରକଳ୍ପର ଅନୁକୂଳରେ ସଂଶୋଧନ କରିବା ଲାଗି ସତତ ଚେଷ୍ଟିତ ।
ଗ୍ରାମସଭାର ଅନୁମତି ମିଳିବା ପ୍ରକ୍ରିୟା ହେତୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଯେ ବିଳମ୍ବ ଘଟୁଛି କହିବା ଏକ ମିଥ୍ୟା ପ୍ରଚାରିତ ତଥ୍ୟ । ଅସଲରେ, ୨୦୦୮-୨୦୦୯ ମସିହାଠାରୁ ୨୦୨୨-୨୦୨୩ ମସିହା ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଲାଗି ୩,୦୮,୯୪୫.୩୮ ହେକ୍ଟର ଜଙ୍ଗଲ ଜମି ଜଙ୍ଗଲ ଆଇନ ୧୯୮୦ (ସଂରକ୍ଷଣ) ଦେଇ କିସମ ପରିବର୍ତ୍ତନ ପୂର୍ବକ ଅଣଜଙ୍ଗଲ କାର୍ଯ୍ୟ ଲାଗି ହସ୍ତାନ୍ତର ହୋଇସାରିଛି । କହିବା ଅନାବଶ୍ୟକ ଜଙ୍ଗଲ ଆଇନରେ ସଂଶୋଧନ ହେବାପରେ ଜଙ୍ଗଲ ଜମିର ହସ୍ତାନ୍ତର ବହୁଗୁଣରେ ବଢିଯାଇଛି ।
CSD ଏବଂ ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କ ସଂଗଠନଗୁଡିକ ଦଶନ୍ଧି- ଦଶନ୍ଧି ଧରି ଦାବି କରିଆସୁଛନ୍ତି ଯେ, ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀ ଏବଂ ଅନ୍ୟ ଅଧିବାସୀମାନଙ୍କ ଅଧିକାରକୁ ସ୍ଵୀକୃତି ଦେବା ଏବଂ ଗ୍ରାମସଭାର ସହମତି ଆଣିବା ଅତିକମରେ ଷ୍ଟେଜ-୧ ଅନୁମୋଦନ ପୂର୍ବରୁ ହାସଲ କରାଯିବା ଉଚିତ । ଏହାଦ୍ୱାରା ପାରମ୍ପାରିକ ଜଙ୍ଗଲ ଅଧିବାସୀ ଏବଂ ଆଦିବାସୀମାନେ କୌଣସି ଅପରିହାର୍ଯ୍ୟ ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ । ଏହାର କାରଣରେ ଏତିକି କୁହାଯାଇପାରେ ଯେ, ଏଭଳି ସ୍ଥିତିରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ସମ୍ପୃକ୍ତି ଏକପ୍ରକାର ଅର୍ଥହୀନ ହୋଇଯାଏ ।
ସଂସଦୀୟ କମିଟି ଏହା ମଧ୍ୟ ସୁପାରିଶ କରିଛି ଯେ, ଆବଶ୍ୟକ ହେଉଥିବା ୧୦୦ ପ୍ରତିଶତ ସହମତି ପ୍ରତିବଦଳରେ ଏହାକୁ ୭୦-୭୫ ପ୍ରତିଶତକୁ କମାଇ ଦିଆଯାଉ । ଏହି ସୁପାରିଶ ଭୁଲ ଏବଂ ଏହା ଆଇନର ଏକ ଭୁଲ ବ୍ୟାଖ୍ୟା ଅଟେ । ପ୍ରତ୍ୟେକ ଗ୍ରାମସଭାର ନିଜର ଅଧିକାର ଏବଂ କ୍ଷମତା ଅଛି । ଆଶ୍ଚର୍ଯ୍ୟଚକିତ ହେବାର ବିଷୟ, ଆଦିବାସୀ ମନ୍ତ୍ରଣାଳୟ ଦ୍ଵାରା ଗ୍ରାମସଭାର ଅନୁମତିକୁ ସଂପୂର୍ଣ୍ଣ ରୂପରେ ହଟାଇଦେବାର ଘୋଷଣାନାମା, ସଂସଦୀୟ କମିଟିର ସୁପାରିଶ ଅବା NHPCର ନିଜସ୍ଵ ପ୍ରତିବେଦନରେ ମଧ୍ୟ ସ୍ଥାନିତ ହୋଇନାହିଁ ।
ଆଦିବାସୀ ମନ୍ତ୍ରଣାଳୟ ଉପରେ ଲୋକମାନଙ୍କ ଆସ୍ଥାଭାଜନ ପୂର୍ବକ ଜଙ୍ଗଲ ସୁରକ୍ଷାର ଉତ୍ତରଦାୟିତ୍ଵ ନ୍ୟସ୍ତ । କିନ୍ତୁ ଆଜି ସେ ଆସ୍ଥା ଭାଙ୍ଗିଯାଇଛି । ଯେତେବେଳେ ସଂସଦୀୟ କମିଟି ଆଦିବାସୀ ମନ୍ତ୍ରଣାଳୟକୁ ମାତ୍ର ଟିକେ ନଇଁ ପଡିବାକୁ କହିଛି, ମନ୍ତ୍ରଣାଳୟ ଅଧିକନ୍ତୁ ଉପରୋକ୍ତ ତା୩୧.୦୮.୨୦୨୬ରିଖର ମେମୋରାଣ୍ଡମ ମାଧ୍ୟମରେ ତଳେ ମାଟିରେ ଘୁସୁରି ଯିବାକୁ ପସନ୍ଦ କରିଛି ।
ଏପରି ହେବା ପ୍ରଥମଥର ନୁହେଁ । ଏହି ସରକାରରେ ଏବଂ ନିର୍ଦ୍ଦିଷ୍ଟ ଭାବରେ ୨୦୧୯ ମସିହା ପରଠାରୁ ଆଦିବାସୀ ମନ୍ତ୍ରଣାଳୟ ଦେଶର ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କ ପ୍ରତି ନିଜର ଦାୟିତ୍ଵ ନିର୍ବାହରେ ବାରମ୍ବାର ବିଫଳ ହୋଇଛି ।
“ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ଅଧିକାର ଅଭିଯାନ”, ଏହାଦ୍ୱାରା ଏହି ଅସାମ୍ବିଧାନିକ, ଅବୈଧ ଏବଂ ଅଦାୟିତ୍ଵସମ୍ପର୍ଣ୍ଣ ୩୧ ଅଗଷ୍ଟ ମେମୋରାଣ୍ଡମକୁ କଡା ନିନ୍ଦା କରୁଛି ଏବଂ ଏହାର ତୁରନ୍ତ ପ୍ରତ୍ୟାହାର ଦାବି କରୁଛି । ଏଥିସହ ଆଦିବାସୀ ମନ୍ତ୍ରଣାଳୟ ନୋଡାଲ ଅଥୋରିଟି ଭାବରେ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାର ନିଜର ସାମ୍ବିଧାନିକ ଏବଂ ବୈଧାନିକ/ଆଇନଗତ ଦାୟିତ୍ଵକୁ ସୁଚାରୁରୂପେ ସମ୍ପର୍ଣ୍ଣ ପୂର୍ବକ ଏହା ନିଶ୍ଚିତ କରୁ ଯେ, ଜଙ୍ଗଲ ଜମି ହସ୍ତାନ୍ତର ହେବା ପୂର୍ବରୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଥିବା ସମସ୍ତ ଅଧିକାରକୁ ସ୍ୱୀକୃତି ଦିଆଯାଉ ଏବଂ କୌଣସି ପ୍ରକାରର ଛାଡ ଅବା ଢିଲା ନକରି ପୂର୍ବ ସୂଚନା ପୂର୍ବକ ଗ୍ରାମସଭାର ସ୍ଵାଧିନ ସହମତି ବାଧ୍ୟତାମୂଳକ ଭାବେ ହାସଲ କରାଯାଉ ।
