ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): UPI ପେମେଣ୍ଟକୁ ନେଇ ରାଜ୍ୟସଭା ସାଂସଦ ସୁଜିତ୍‌ କୁମାରଙ୍କ ବଡ଼ ସ୍ପଷ୍ଟୀକରଣ । ୨ ହଜାର ଟଙ୍କାରୁ ଅଧିକ କମର୍ସିଆଲ୍‌ କାରବାରରେ ଚାର୍ଜ ଲାଗିବା ନେଇ ଆଲୋଚନା ଭିତରେ ସେ କହିଛନ୍ତି, ଏହି ଦେୟ ସାଧାରଣ ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ । ଚାର୍ଜ ଦେବେ ବ୍ୟବସାୟୀ । ସାଂସଦଙ୍କ କହିବା ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ କମର୍ସିଆଲ୍‌ UPI କାରବାର ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ। ତେବେ ମୋଟ ଡିଜିଟାଲ୍‌ ପେମେଣ୍ଟ ମଧ୍ୟରୁ ଏଭଳି କାରବାରର ଅଂଶ ପ୍ରାୟ ୪ ପ୍ରତିଶତ ବୋଲି ସେ ଦାବି କରିଛନ୍ତି । ଅର୍ଥାତ୍‌, ୯୬ ପ୍ରତିଶତ ଲୋକ ଗୋଟିଏ କାରବାରରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ କରୁନଥିବା ସେ କହିଛନ୍ତି ।
ଏହି ଚାର୍ଜକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଯେପରି ଭ୍ରମ ସୃଷ୍ଟି ନହୁଏ, ସେନେଇ ସୁଜିତ୍‌ କୁମାର ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଗ୍ରାହକ ଏଥିରୁ ବାଦ୍‌ ପଡ଼ିବେ । ତାଙ୍କ ମତରେ, କେବଳ ନିର୍ଦ୍ଦିଷ୍ଟ ବଡ଼ କମର୍ସିଆଲ୍‌ କାରବାରରେ ବ୍ୟବସାୟୀଙ୍କ ଉପରେ ଚାର୍ଜ ଲାଗିବ । ବିରୋଧୀମାନେ ଏହାକୁ ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଚାର୍ଜର ନିୟମ, କାର୍ଯ୍ୟକାରୀ ତାରିଖ ଏବଂ କେଉଁ ପ୍ରକାରର କାରବାର ଏହାର ପରିସରରେ ଆସିବ, ତାହା ସ୍ପଷ୍ଟ ଭାବେ ଜାଣିବା ପାଇଁ ଅଧିକୃତ ନିର୍ଦ୍ଦେଶନାମା ଦେଖିବା ଆବଶ୍ୟକ ।