ୱାଶିଂଟନ, (ସତ୍ୟପାଠବ୍ୟୁରୋ): ଆମେରିକା –ଇରାନ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଆର୍ଥିକ ସଙ୍କଟ ଉପୁଜିଛି। ଆମେରିକା ବିଶ୍ବକୁ ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି। ଏଥିପାଇଁ ଦୁନିଆ ଅନିଶ୍ଚିତତା ଓ ସଙ୍କଟ ଦେଇ ଗତି କରୁଛି। ଏହାର ପ୍ରଭାବ ଆମେରିକା ସହିତ ଅନ୍ୟ ଦେଶ ଉପରେ ପଡିଛି। ଆମେରିକାରେ ଦରଦାମ ବୃଦ୍ଧି ଯୋଗୁଁ ଜନତାଙ୍କ ଉପରେ ମହଙ୍ଗା ମାଡ଼ ହେଉଛି। ଲୋକେ ସରକାରଙ୍କ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ତିନି ବର୍ଷରେ ପ୍ରଥମ ଥର ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ସୁଧ ହାର ବଢ଼ାଇ ଦେଇଛି। ସୁଧ ହାର ୦.୨୫% ବୃଦ୍ଧି କରାଯାଇଛି। ଦେଶରେ ବର୍ଦ୍ଧିତ ମୁଦ୍ରାସ୍ପୀତିକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏବେ ଆମେରିକାରେ ସୁଧ ହାର ବଢ଼ି ୩.୭୫% ରୁ ୪.୦୦% ମଧ୍ୟରେ ପହଞ୍ଚି ଯାଇଛି। ଫେଡେରାଲ କମିଟିର ସମସ୍ତ ୧୨ ଜଣ ସଦସ୍ୟ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଫେଡେରାଲ ରିଜର୍ଭର ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଆମେରିକାରେ ସୁଧ ହାର ୧ % କିମ୍ବା ତା’ଠାରୁ କମ୍ ହେବା ଉଚିତ। ସୁଧ ହାର ଶୀଘ୍ର ହ୍ରାସ କରିବାକୁ ଟ୍ରମ୍ପ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କର ଅଧ୍ୟକ୍ଷଙ୍କ ସହ ଏହାକୁ ନେଇ ଟ୍ରମ୍ପଙ୍କ ବିବାଦ ରହିଛି। ମୁଦ୍ରାସ୍ଫୀତି ହାରକୁ ୨% ଭିତରେ ରଖିବାକୁ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଚାହୁଁଛି। ତେବେ ଗତ ମାସରେ ଆମେରିକାରେ ମୁଦ୍ରାସ୍ଫୀତି ହାର ୩.୪% ରେ ପହଞ୍ଚି ଥିଲା। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁଧ ହାର ବଢ଼ାଇବାକୁ ପଡ଼ିଲା। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ଅଧ୍ୟକ୍ଷ କେଭିନ୍ ୱାର୍ଶ କହିଛନ୍ତି ଯେ ଦରଦାମ ବୃଦ୍ଧି ପାଇ ବହୁତ ଅଧିକ ହୋଇଯାଇଛି। ଏହା ଦୀର୍ଘ ସମୟ ଧରି ଉଚ୍ଚ ସ୍ତରରେ ରହିଛି। ତେଣୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଲା। ଏହାର ପ୍ରତ୍ୟକ୍ଷ ପ୍ରଭାବ ଆମେରିକୀୟଙ୍କ ଉପରେ ପଡ଼ିବ। ଲୋକଙ୍କୁ ଋଣ ଉପରେ ଅଧିକ ଇଏମଆଇ ଦେବାକୁ ପଡ଼ିବ। ଗୃହ ଋଣ, ଅଟୋ ଋଣ ଓ ଅନ୍ୟ ସାମଗ୍ରୀ କ୍ରୟ କଲେ ଋଣ ମହଙ୍ଗା ହୋଇଯିବ। ଏହା ସହିତ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସୁଧ ହାର ବୃଦ୍ଧିର ପ୍ରଭାବ ପଡ଼ିବ।