ଅନୁଗୋଳ, ୧୮|୯(ସପ୍ର) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସକୁ ବଡ଼ ସଫଳତା ମିଳିଛି । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି । ଗୁରୁବାର ରାତିରେ ଛେଣ୍ଡିପଦା ଥାନା ପୋଲିସ ବାଗାଡ଼ିଆ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ବାଇକ୍ ରେ ଯାଉଥିବା ବାଗେଡ଼ିଆ ଅଞ୍ଚଳର ସୁକାନ୍ତ ପ୍ରଧାନ ଓରଫ ରଞ୍ଜନଙ୍କୁ ଯାଞ୍ଚ କରିଥିଲା ପୋଲିସ । ତାଙ୍କ ନିକଟରୁ ପ୍ରାୟ ୩ କିଲୋ ୧୮ ଗ୍ରାମ ଓଜନର ଏକ ହାତୀ ଦାନ୍ତ ଜବତ ହୋଇଥିଲା । ଏହି ବନ୍ୟଜନ୍ତୁ ସାମଗ୍ରୀ ରଖିବା କିମ୍ବା ପରିବହନ ପାଇଁ ସୁକାନ୍ତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।ଫଳରେ ପୋଲିସ ସନ୍ଦିଗ୍ଧ ହାତୀ ଦାନ୍ତ ସହ ବାଇକ୍ କୁ ଜବତ କରିଛି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଥିବା ବେଳେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ବନ୍ୟଜନ୍ତୁ ଅପରାଧ ରୋକିବା ସହ ବନ୍ୟଜନ୍ତୁଙ୍କ ଅବୈଧ ସାମଗ୍ରୀ ଚାଲାଣ ଉପରେ ଛେଣ୍ଡିପଦା ପୋଲିସର ନଜର ରହିଛି । ଏହି ହାତୀ ଦାନ୍ତ କାରବାର ଦୀର୍ଘ ଦିନ ହେବ ବନବିଭାଗ ଓ ପୋଲିସ କର୍ମଚାରୀ ଜାଣତରେ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଲୋକମାନେ କହୁଛନ୍ତି।
