ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ଓଡିଶାକୁ ଘାରିଛି ବାତ୍ୟା ଭୟ। ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଏବେ ଓ୍ୱେଲମାର୍କଡ ଲୋପ୍ରେସରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜଣାପଡିଛି ଯେ, ଏହି ଅବପାତ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ। ଏହି ସମୟରେ କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବା ସହ ଗଞ୍ଜାମ ,ଗଜପତି ଓ ରାୟଗଡା ରେ ପବନ ସହ ପ୍ରବଳ ବର୍ଷା ହେବ।

ଏହାର ପ୍ରଭାବରରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୩ରୁ ବର୍ଷା ପରିମାଣ ବଢିବ। ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହିତ ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଏହାସହିତ ଆସନ୍ତାକାଲିଠୁ ୨୪ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଥିବାରୁ ବିଜୁଳି ଘଡଘଡିରେ କେହି ଯେପରି ମୃତାହତ ନ ହୁଅନ୍ତି ସେଥିପାଇଁ ଜନସାଧାରଣଙ୍କୁ ବିନା କାରଣରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ଏହାକୁ ନେଇ ଉପକୂଳିଆଙ୍କ ଭିତରେ ଛନକା ପୂରାଇଛି ବାତ୍ୟା ଭୟ। କିନ୍ତୁ ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ ସେଭଳି କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ସ୍କାଇମେଟ୍ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଦର୍ଶାଇଛି ।  ଅର୍ଥାତ୍ ବାତ୍ୟା ଆଶଙ୍କା ରହିଛି, କିନ୍ତୁ ଏହା ଏବେ ନିଶ୍ଚିତ ନୁହେଁ ।  ଅବପାତ ସୃଷ୍ଟି ହେବା ପରେ ମିଳୁଥିବା ନୂଆ ତଥ୍ୟରୁ ଏହାର ତୀବ୍ରତା ଓ ଗତିପଥ ଅଧିକ ସ୍ପଷ୍ଟ ହେବ।