ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏହି ବଡ଼ ବୟାନ ଦେଇଛନ୍ତି।

ଶ୍ରୀ ସାଏ ପ୍ରକାଶ କରିଛନ୍ତି ଯେ, ତାଙ୍କର ଏହି ଓଡ଼ିଶା ଗସ୍ତ କାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ବୈଠକରେ ଉଭୟ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବିଶେଷ କରି ଦୀର୍ଘ ଦିନ ଧରି ଝୁଲି ରହିଥିବା ମହାନଦୀ ଜଳ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା ହୋଇଛି।

 

ସେ କହିଛନ୍ତି ଯେ, ବର୍ତ୍ତମାନ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ରହିଥିବା ବେଳେ କେନ୍ଦ୍ରରେ ମଧ୍ୟ ଏନଡିଏ/ବିଜେପି ସରକାର ରହିଛି। ତେଣୁ କୌଣସି ବିବାଦର ସ୍ଥିତି ଉପୁଜିବାର ପ୍ରଶ୍ନ ଉଠୁନାହିଁ। ପୂର୍ବରୁ ଏହି ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଏବେ ଉଭୟ ରାଜ୍ୟର ସହମତି ଭିତ୍ତିରେ ଏହାକୁ ସେଣ୍ଟ୍ରାଲ ୱାଟର କମିଶନ (CWC)କୁ ହସ୍ତାନ୍ତର କରାଯାଇଛି। ଉଭୟ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପାରସ୍ପରିକ ବୁଝାମଣା ଜରିଆରେ ଅତି ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।