ଲକ୍ଷ୍ନୌ(ସତ୍ୟପାଠବ୍ୟୁରୋ): ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ପାରିବାରିକ କଳହରୁ ଉନ୍ମତ୍ତ କାଣ୍ଡ। ପୂଜାପାଠକୁ କେନ୍ଦ୍ର କରି ପତ୍ନୀ ଏବଂ ଦୁଇ ଜଣ ପୁରୋହିତଙ୍କୁ ଗୁଳି କରି ହତ୍ୟା କରି ପରେ ନିଜ ପିଲାମାନଙ୍କୁ ବନ୍ଧକ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ପୋଲିସଠାରୁ ଖସି ପଳାୟନ କରିବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ଅରବିନ୍ଦ ସିଂହଙ୍କୁ ଗୁଳି କରାଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସଠାରୁ ବଞ୍ଚିବା ପାଇଁ ସେ ନିଜ ପିଲାଙ୍କୁ ବନ୍ଧକ ରଖିଥିଲେ । ସେ ନିଜ ପୁଅକୁ ମଧ୍ୟ ଗୁଳି କରିଥିଲେ। ଆହତ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁଅଙ୍କର ମୃତ୍ୟୁ ଘଟିଥିଲା ।
ମଙ୍ଗଳବାର ସନ୍ଧ୍ୟାରେ ଅରବିନ୍ଦ ଘରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା। ତାଙ୍କ ସ୍ତ୍ରୀ ବବିତା ସିଂହ ସେହି ସମୟରେ ପୂଜା କରୁଥିଲେ। ପୂଜା ପାଇଁ ଦୁଇଜଣ ପୁରୋହିତ ୬୦ ବର୍ଷୀୟ ମହେନ୍ଦ୍ର ପାଠକ ଏବଂ ୫୦ ବର୍ଷୀୟ ଅଖିଳେଶ ମିଶ୍ର ପହଞ୍ଚିଥିଲେ। ଏହା ଦେଖି ଅରବିନ୍ଦ ରାଗି ସ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ। ଝଗଡା ବଢିଥିଲା। କ୍ରୋଧରେ ଅଭିଯୁକ୍ତ ଅରବିନ୍ଦ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିଥିଲେ। ତା’ପରେ ସେ ଦୁଇ ପୁରୋହିତଙ୍କୁ ମଧ୍ୟ ଗୁଳି କରିଥିଲେ।
ଘଟଣା ପରେ, ସେ ସମସ୍ତ ପିଲାମାନଙ୍କୁ ଏକ କୋଠରୀକୁ ନେଇ କବାଟ ବନ୍ଦ କରିଦେଇଥିଲେ। ଏଡିଜି ନବୀନ ଆରୋରାଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତଙ୍କୁ କୋଠରୀରୁ ବାହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ବାହାରକୁ ଆସିବାକୁ କିମ୍ବା ପିଲାମାନଙ୍କୁ ଛାଡିବାକୁ ଅନିଇଚ୍ଛୁକ ଥିଲେ। ସାତ ଘଣ୍ଟା ନିରନ୍ତର ଆଲୋଚନା ଏବଂ ପ୍ରୟାସ ପରେ, ସକାଳ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୋଲିସ ରାତିସାରା ସଜାଗ ରହିଥିଲା।
ଭୋର୍ ସମୟରେ ବାହାରେ ପୋଲିସ ପ୍ରସ୍ତୁତି ଚାଲିଥିଲା, ସେତେବେଳେ ଭିତରୁ ଗୁଳି ଫୁଟିଥିଲା। ପୋଲିସ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଭିତରେ ତିନି ଜଣ ପିଲା ଥିଲେ, ଏବଂ ସେମାନଙ୍କୁ ଉଦ୍ଧାର କରିବା ଜରୁରୀ ଥିଲା। ତୁରନ୍ତ ଷ୍ଟନ୍ ଗ୍ରେନେଡ୍ ଏବଂ ଲୁହ ଗ୍ୟାସ୍ ବ୍ୟବହାର କରି ପୋଲିସ ଦଳ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଅଭିଯୁକ୍ତ ପୋଲିସ ଦଳ ଉପରେ ଚାରି କିମ୍ବା ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ତାଙ୍କ ପାଖରେ ଏକ ଛଅ ରାଉଣ୍ଡ ରିଭଲଭର ଥିଲା। ସେ ସବୁ ରାଉଣ୍ଡ ଶେଷ କରିଦେଇଥିଲେ। ଅଭିଯୁକ୍ତ ପୁଅଙ୍କୁ ଗୁଳି କରି ସାରି ବଡ଼ ଝିଅକୁ ଢାଲ ଭାବରେ ବ୍ୟବହାର କରି ଖସିବାକୁ ଚେଷ୍ଟା କରୁଥିବାବେଳେ ସାନ ଝିଅ ତାଙ୍କ ହାତରୁ ଖସି ପଡ଼ିଥିଲା। ପୋଲିସ ଏହାର ସୁଯୋଗ ନେଇ ଗୁଳି କରିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।