ରାୟଗଡା, (ସତ୍ୟପାଠବ୍ୟୁରୋ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ରବିଭଲସା ନିକଟରେ ବୁଧବାର ରେଳ ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାଉରକେଲାରୁ ଗୁଣପୁର ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବିଶାଖ ରାଓ, ଦିଲୀପ କୁମାର, ଶିବା ଓ ଶରତ। ଆହତ ଯୁବକଙ୍କ ନାମ ସଲମନ ରଜୁ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତାହତ ମାନେ ଟେକ୍କାଲି ନିକଟସ୍ଥ ଡାମାରା ଅଞ୍ଚଳର ବାସିନ୍ଦା। ସେମାନେ ଏକ ହଷ୍ଟେଲରେ ରହି ପାଠ ପଢୁଥିଲେ। ବୁଧବାର ସେମାନେ ରେଳ ଧାରଣା ନିକଟକୁ ମାଛ ଧରିବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ, ରାଜ୍ୟରାଣୀ ଏକ୍ସପ୍ରେସ୍‌ ଉକ୍ତ ସ୍ଥାନ ଦେଇ ଯାଉଥିବା ବେଳେ ରେଳ ଧାରଣା ନିକଟରେ ଥିବା ୫ ଜଣଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସଲମନ ରାଜୁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ପୋଲିସ ଓ ରେଳବାଇ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି। ମୃତଦେହ ଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ନିଶ୍ଚିତ କରିବା ସହ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ହଷ୍ଟେଲରେ ରହୁଥିବା ଏହି ଛାତ୍ରମାନେ କାହିଁକି ରେଳ ଧାରଣା ନିକଟକୁ ଯାଇଥିଲେ ଏବଂ ଦୁର୍ଘଟଣା ସମୟରେ ସେମାନଙ୍କ ଠିକ୍‌ ସ୍ଥିତି କ’ଣ ଥିଲା, ତାହା ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ଘଟଣାକୁ ନେଇ ଡାମାରା ଅଞ୍ଚଳ ଓ ହଷ୍ଟେଲରେ ଶୋକର ଛାୟା ଖେଳିଯାଇଛି।