ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ନିର୍ବାଚନ କମିସନଙ୍କ ଆଭ୍ୟନ୍ତରୀଣ ମତଭେଦ ଓ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ( ଏସଆଇଆର)ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ଦ ଇଣ୍ଡିଆନ ଏକ୍ସପ୍ରେସ’ରେ ଏସଆଇଆରକୁ ନେଇ ନିର୍ବାଚନ କମିଶନର ଭିତରେ ମତଭେଦ ଥିବା ଏକ ତଦନ୍ତମୂଳକ ରିପୋର୍ଟ ପ୍ରକାଶ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ବିଭିନ୍ନ ପ୍ରସଙ୍ଗରେ ଅନେକଥର ଆପତ୍ତି ଉଠାଇଥିଲେ। ବିଶେଷକରି ଫର୍ମ-୬ ରେ ଏସଆଇଆର ସମ୍ପର୍କିତ ନୂଆ ଘୋଷଣା ଯୋଡ଼ାଯିବା ଏବଂ ଭୋଟର ଡାଟାବେସ୍‌ର ଅଧିକ କେନ୍ଦ୍ରୀକରଣକୁ ନେଇ ଦୁଇ କମିଶନରଙ୍କ ଆପତ୍ତି ସାମ୍ନାକୁ ଆସିଛି। ଯୋଶୀ ମେ’ ମାସରେ ଯୁକ୍ତି ଦେଇଥିଲେ ଯେ ଆଇନଗତ ଭାବେ ନିର୍ଦ୍ଧାରିତ ଫର୍ମ-୬କୁ ବଦଳାଇବା ପାଇଁ ଆବଶ୍ୟକ ସଂଶୋଧନ ଦରକାର। ସାନ୍ଧୁ ମଧ୍ୟ ଏହି ଆପତ୍ତି ସହ ସହମତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟପଟେ, ନିର୍ବାଚନ କମିଶନ ଏହି ମତଭେଦ ଅଭିଯୋଗକୁ ଅନ୍ୟ ଭାବେ ବ୍ୟାଖ୍ୟା କରିଛି। କମିଶନ କହିଛି, ଏସଆଇଆର ସମେତ ଗତ ଏକ ବର୍ଷରେ ନିଆଯାଇଥିବା ସମସ୍ତ ଅନ୍ତିମ ନିଷ୍ପତ୍ତି ପୂର୍ଣ୍ଣ କମିଶନର ସର୍ବସମ୍ମତିରେ ହୋଇଛି। ଦୁଇ କମିଶନରଙ୍କ ପ୍ରଶ୍ନ ଓ ଆପତ୍ତିଗୁଡ଼ିକ ମୁଖ୍ୟତଃ ଡ୍ରାଫ୍ଟ ପର୍ଯ୍ୟାୟର ଆଲୋଚନା ଓ ପ୍ରଶାସନିକ ପ୍ରକ୍ରିୟାର ଅଂଶ ଥିଲା ବୋଲି ଇସିଆଇ କହିଛି। ନିର୍ବାଚନ କମିଶନ ଏସଆଇଆର ମାମଲାରେ ବିବାଦ ମଧ୍ୟରେ ଫସିଥିବା ଭଳି ଦେଖାଯାଉଛି। ଏହି ମାମଲାରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ନିର୍ବାଚନୀ ସଂସ୍ଥାଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଠାଯାଇଥିବା ପ୍ରଶ୍ନଗୁଡ଼ିକୁ ସାର୍ବଜନୀନ ରେକର୍ଡରେ ରଖାଯିବା ଉଚିତ ଏବଂ ସେଗୁଡ଼ିକର ଉତ୍ତର ସ୍ୱଚ୍ଛତାର ସହ ଦିଆଯିବା ଉଚିତ।”
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ଖବର ପ୍ରସାରଣ ପରେ ଏବେ ବିରୋଧୀ ଦଳ ଆକ୍ଟିଭ୍ ହୋଇଛି। ପୂର୍ବରୁ ଏନେଇ ବିରୋଧୀ ଦଳମାନେ ଅଭିଯୋଗ କରିଆସୁଥିଲେ ବି କେହି ଏହା ଉପରେ ଗୁରୁତ୍ୱ ଦେଉ ନଥିଲେ। କିନ୍ତୁ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ନିର୍ବାଚନ ଆୟୋଗ ବିଶ୍ୱାସ ହରାଇଥିବା ବିରୋଧୀଦଳମାନେ ଅଭିଯୋଗ କରିଛନ୍ତି। ଏହି ଖବର ସାମନାକୁ ଆସିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ କମିଶନ ଏସଆଇଆର ମାମଲାରେ ବିବାଦ ମଧ୍ୟରେ ଫସିଥିବା ଭଳି ଦେଖାଯାଉଛି। ଏହି ମାମଲାରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ନିର୍ବାଚନୀ ସଂସ୍ଥାଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଠାଯାଇଥିବା ପ୍ରଶ୍ନଗୁଡ଼ିକୁ ସାର୍ବଜନୀନ ରେକର୍ଡରେ ରଖାଯିବା ଉଚିତ ଏବଂ ସେଗୁଡ଼ିକର ଉତ୍ତର ସ୍ୱଚ୍ଛତାର ସହ ଦିଆଯିବା ଉଚିତ।”