ଗଞ୍ଜାମ (ସତ୍ୟପାଠବ୍ୟୁରୋ) : ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଞ୍ଚାୟତ ବଡରାମପଲ୍ଲୀ ଅଞ୍ଚଳରେ ଦେଖାଦେଇଛି ବନ୍ୟା ସ୍ଥିତି । ବଡରାମପଲ୍ଲୀରୁ ବିଳାସପୁର ରାସ୍ତାରେ ଏବେ ବି ପ୍ରାୟ ୫ ଫୁଟ ଉଚ୍ଚରେ ଚାଲିଛି ବନ୍ୟା ପାଣି । ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖରଖରି ନାଳରେ ପାଣି ବଢ଼ିବା ପରେ ବଡରାମପଲ୍ଲୀ ଅଞ୍ଚଳରେ ଉପୁଜିଛି ବନ୍ୟା ସ୍ଥିତି । ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ବଡରାମପଲ୍ଲୀରୁ ବିଳାସପୁର ଯାତାୟାତ ପ୍ରଭାବିତ ହୋଇଛି ।
ଅନ୍ୟପଟେ ବନ୍ୟା ପାଣିରେ ବୁଡ଼ି ରହିଛି ଶହ ଶହ ଏକର ଚାଷ ଜମି । ଧାନ ଫସଲରେ ଫଳ ଧରିବା ସମୟରେ ଚାଷ ଜମିରେ ପଶିଛି ବନ୍ୟା ପାଣି । ଫଳରେ ଫସଲ ନଷ୍ଟ ହେବା ଆଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅମଳ ସମୟ ପୂର୍ବରୁ ଚାଷ ଜମିରେ ପାଣି ପଶିବା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ବନ୍ୟା ପାଣି କେବେ କମିବ ଏବଂ ଫସଲ କେତେ ପରିମାଣରେ କ୍ଷତିଗ୍ରସ୍ତ ହେବ, ସେନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ।
ବନ୍ୟାରେ ହୋଇଥିବା ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ । ବର୍ଷା ଜାରି ରହିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖିବା ସହ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ସହାୟତା ଦେବାକୁ ଦାବି ହୋଇଛି ।
