ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ଫୁଲୁଛି ମହାନଦୀ । ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ହୀରାକୁଦର ୩୦ଟି ଗେଟ୍ ଖୋଲିଛି । ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ମହାନଦୀରେ ଛୋଟ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ହୀରାକୁଦର ଜଳସ୍ତର ୬୨୯ .୫୨ ଫୁଟକୁ ପହଞ୍ଚିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୬ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ୩୦ଟି ଗେଟ୍ ଦେଇ ସେକେଣ୍ଡ ପିଛା ୫ ଲକ୍ଷ ଘନଫୁଟ ନିଷ୍କାସିତ ହେଉଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି, ସୋମବାର ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସନ୍ଧ୍ୟା ଏହା ବ ୮ ଲକ୍ଷ କ୍ୟୁସେକରେ ପହଞ୍ଚିବ। ଫଳରେ ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ । ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ପାଣି ଫୁଲି ବନ୍ୟା ସ୍ଥିତି ସୃଷ୍ଟି ହେବ। ପାଖରେ ଥିବା ଚାଷ ଜମି ବୁଡ଼ିବ । ମହାନଦୀରେ ବନ୍ୟା ଯୋଗୁ ୪ ଜିଲ୍ଲା ବେଶି ପ୍ରଭାବିତ ହେବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଦେବ। ୨୪ ଘଣ୍ଟା ଯାଏ ତଳିଆ ଅଞ୍ଚଳ ବୁଡ଼ି ରହିବ ।ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବାର ତଳିଆ ଅଞ୍ଚଳରେ ପାଣି ପଶିବ । ରଣା, କଣ୍ଟିଆ ନାଳରେ ପାଣି ପଶିବ । ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବ । ସେହିଭଳି ପୁରୀର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ପ୍ରଭାବିତ ହେବ। ଆଠଗଡ ଅଞ୍ଚଳରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ଫଳରେ ପନିପରିବା ଚାଷ ମଧ୍ୟ କ୍ଷତି ହେବାର ଆଶଙ୍କା ବଢ଼ିଛି।