ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର ଏଫଜେଡ୍୍ ବିମାନରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ମଝି ଆକାଶରେ ଛୁରା ମାଡ଼ ଖାଇ ବୀରତ୍ଵ ଦେଖାଇଲେ ଭାରତୀୟ ପାଇଲଟ। କ୍ୟାପ୍ଟେନ ସ୍ମିଥ ମଚ୍ଛରଙ୍କ ପାଇଁ ବଞ୍ଚିଗଲା ୧୭୬ ଯାତ୍ରୀଙ୍କ ଜୀବନ । ସ୍ମିଥଙ୍କ ସାହାସିକତା ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ଵବ୍ୟାପୀ ଛୁଟୁଛି ସାବାସୀର ସୁଅ । ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ନେତନ୍ୟାହୁଙ୍କ ଯାଏଁ ସମସ୍ତେ ସ୍ମିଥଙ୍କୁ କରୁଛନ୍ତି ଭୁରି ଭୁରି ପ୍ରଶଂସା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗୁରୁତର ଆହତ ହେବା ସତ୍ତ୍ୱେ, କ୍ୟାପ୍ଟେନ ସ୍ମିଥ ମଚ୍ଛର ଜଣେ ହିରୋ । ସେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ଏବଂ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିଲେ । ତାଙ୍କ ସାହସ ଯୋଗୁଁ ଶହ ଶହ ଜୀବନ ବଞ୍ଚିଗଲା ଏବଂ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲା । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ନେଇ କ୍ୟାପ୍ଟେନ ମଚ୍ଛର ଏବଂ ଯାତ୍ରୀ ୟାନିବ ହୟୁନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଗୁରୁତର ଆହତ ହେବା ସତ୍ତ୍ଵେ ପାଇଲଟ କକପିଟର ଡୋର୍ ଖୋଲିଥିଲେ । ସେହିପରି ଆକ୍ରମଣକାରୀକୁ କାବୁ କରିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ସେପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କ୍ୟାପ୍ଟେନ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ସାହାସକୁ ଅବିଶ୍ଵସନୀୟ କହିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପାଇଲଟ ଯେଉଁଭଳି ଭାବେ ସ୍ଥିତିକୁ ସମ୍ଭାଳିନେଲେ ତାହା ପ୍ରଶଂସନୀୟ । ସୂଚନା ଥାଉକି, ବୁଧବାର ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର ଏଫଜେଡ- ୧୦୭୩ ବିମାନରେ ୨ ପାଇଲଟଙ୍କ ମଧ୍ୟରେ ରକ୍ତ ସଂଘର୍ଷ ହୋଇଥିଲା। ଜଣେ କୋ ପାଇଲଟ ବିମାନକୁ ହାଇଜ୍ୟାକ କରିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଦୁଇ ପାଲଟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଭାରତୀୟ କ୍ୟାପ୍ଟେନ ସ୍ମିଥ ମଚ୍ଛର ଗୁରୁତର ଆହତ ହୋଇଥିଲେ। ଅନ୍ୟ ଜଣେ ପାଇଲଟ ତାଙ୍କୁ ଛୁରୀ ମାରି ଦେଇଥିଲେ। ଏହାପରେ ଫ୍ଲାଇଟ୍ ତୀବ୍ର ଗତିରେ ତଳକୁ ଖସିବାକୁ ଲାଗିଥିଲା। ୩୦ ସେକେଣ୍ଡରେ ବିମାନଟି ୧୪ ହଜାର ଫୁଟ୍ ତଳକୁ ଆସିଥିଲା । ଏହାଦେଖି ବିମାନରେ ଥିବା ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତି ବେକାବୁ ହେଉଥିବା ଦେଖି ଯାତ୍ରୀ ଏବଂ ଚାଳକ ଟିମ୍ କକପିଟ୍ କୁ ଯିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କ୍ୟାପ୍ଟେନ ମଚ୍ଛର ପ୍ରାଣ ପଣେ ଉଦ୍ୟମ କରି କକପିଟର ଡୋର୍ ଖୋଲିଥିଲେ। ସେହି ବିମାନରେ ଥିବା ଡାକ୍ତର ଶୋଟା ମୁସାଏଭ କଟପିଟରେ ପଶି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ପରେ କ୍ୟାପଟେନ ସ୍ମିଥଙ୍କ ରକ୍ତ ସ୍ରାବ ବନ୍ଦ କରାଇବାରେ ସାହାଯ୍ୟ କରିଥିଲେ। ତାପରେ ସ୍ମିଥ ବିମାନ ଚଳାଇବାରେ ସମର୍ଥ ହୋଇଥିଲେ। ଫଳରେ ୧୭୬ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।