ପୁରୀ (ସତ୍ୟପାଠବ୍ୟୁରୋ): ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ ଇତି ମଧ୍ୟରେ ସରିଛି। ଏହାସହ ଦିବ୍ୟାଙ୍ଗ ଏବଂ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟରେ ନିୟୋଜିତ ହେବେ। ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବେ। ଏହି ସୁବିଧା ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଅନଲାଇନ୍ ତଥା ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅନଲାଇନ୍ ତଥା ମୋବାଇଲ ଆପ୍ଲିକେସନ୍ ଜରିଆରେ ବର୍ତ୍ତମାନ ପାଇଁ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ । ଏଣୁ ଆବଶ୍ୟକୀୟ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟି ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି। ଶ୍ରୀମନ୍ଦିରରେ ଦର୍ଶନ ସମୟରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବାରୁ ଭକ୍ତମାନଙ୍କ ପାଇଁ ଏହା ସହାୟକ ହେବ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯେଭଳି ସୁରୁଖୁରୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ, ତାହା ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକତା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
