କୋରାପୁଟ,(ସତ୍ୟପାଠବ୍ୟୁରୋ) : ବର୍ଷା ଛାଡିବା ପରେ ହଠାତ ମାଳଅଞ୍ଚଳକୁ ଶୀତ ଛୁଇଁଛି l ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ। ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ଦିନେ ଦୁଇ ଦିନ ହେବ ସଂନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ପରେ ପାରଦ ତଳ ମୁହାଁ ହୋଇଛି l ୧୩ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ରାତି ୧୦ ଟା ପରେ ହାଲୁକା ଶୀତ ଅନୁଭବ ସହ ଘନ କୁହୁଡି ଆରମ୍ଭ ହୋଇଯାଉଛି l ରାତି ସାରା ଘନ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି l ସକାଳ ୯ ଟା ପର୍ଯ୍ୟନ୍ତ କୁହୁଡି ରହିବା ଯୋଗୁ ଜିରୋ ଭିଜିବିଲିଟି ରହୁଛି l ଗାଡି ମୋଟର ଯାତାୟତ କରିବାରେ ମୁସ୍କିଲ ହୋଇପଡୁଛି l ଘନ କୁହୁଡି କାରଣରୁ ଯାତାୟତରେ ବହୁ ଅସୁବିଧା ହେଉଛି l ସର୍ବନିମ୍ନ ତାପମାତ୍ରା ହ୍ରାସ ଯୋଗୁଁ ସକାଳେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ସାମାନ୍ୟ ତାପମାତ୍ରା ରହୁଥିବାବେଳେ ରାତିରେ ଶୀତ ଲାଗୁଛି। ପୁଣି ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି। ଘାସରେ କାକର ବିନ୍ଦୁର ସ୍ପର୍ଶ ଶୀତ ଆଗମନର ସଂକେତ ଦେଇଥିବା ବେଳେ ହାଲୁକା ଶୀତ ଲହରୀ ଆରମ୍ଭ ହୋଇଯାଇଛି । ଆଜି ସକାଳେ ସାରା ଅଞ୍ଚଳକୁ ଢାଙ୍କି ରଖିଥିଲା ଘନ କୁହୁଡି l ପହିଲି ଶୀତରେ ଖେଳ ପଡିଆ ମାନଙ୍କରେ ବ୍ୟାୟାମ ଆରମ୍ଭ ହୋଇଥିବା ବେଳେ ଖେଳାଳି ମାନେ ଫୁଟବଲ ଖେଳରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା l ସକାଳୁ ଥଣ୍ଡା ପଡ଼ିବାରୁ ଚାହା ଦୋକାନରେ ଭିଡ଼ ଜମିବା ଆରମ୍ଭ ହୋଇଯାଇଛି। କୁହୁଡି ସକାଶେ ଗାଡି ମୋଟର ଯାତାୟାତରେ ଅସୁବିଧା ଦେଖା ହୋଇଥିଲା। ପାହାନ୍ତିଆରୁ ଘନ କୁହୁଡି ଆରମ୍ଭ ହୋଇଯାଇଥିବାରୁ ଗାଡି ମୋଟର ଲାଇଟ ଲଗାଇ ସତର୍କତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ଲମତାପୁଟ ବ୍ଲକରେ ଚଳିତ ବର୍ଷ ବର୍ଷା ପରିମାଣ ଅଧିକା ହୋଇଥିବାରୁ ଶୀତର ପ୍ରୋକପ ଚଳିତ ବର୍ଷ ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରିଛନ୍ତି ଅଞ୍ଚଳବାସୀ । ପ୍ରତିବର୍ଷ ଜିଲ୍ଲାର ଲମତାପୁଟ ବ୍ଳକରେ ସର୍ବନିମ୍ନ ପାରଦ ରହୁଥିବାରୁ ଏଠାରେ ଅଧିକ ଶୀତ ଅନୁଭୁତ ହୋଇଥାଏ। ଜିଲ୍ଲାକୁ ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ ସହ ବିଦେଶୀ ପର୍ଯ୍ୟଟକଙ୍କ ଲମତାପୁଟ ଅଞ୍ଚଳର ପ୍ରାକୃତିକ ଶୋଭାରାଜି ସବୁବେଳେ ବିମୋହିତ କରିଥାଏ।
