ବରଗଡ଼, (ସତ୍ୟପାଠବ୍ୟୁରୋ): ବରଗଡ଼ ଜିଲ୍ଲା ଆମ୍ବଭାନା ବ୍ଲକ ଅଞ୍ଚଳର ମହାନଦୀ କୂଳିଆ ଚିଖିଲୀ, ଅନ୍ତରଆଡ଼ି, ଘୁଙ୍ଘୁରାପାଲି, ଭେଇନୋପଦର୍ ଆଦି ଗାଁରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ, ସାଂସଦ ଓ ବିଧାୟକ। ବନ୍ୟାରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ। ଏହି ଅଞ୍ଚଳରେ ବନ୍ୟା ଯୋଗୁଁ ଚାଷଜମି ପ୍ରଭାବିତ ହେବା ସହ ମତ୍ସ୍ୟଜୀବୀ, ଚାଷୀ ଏବଂ ଗ୍ରାମବାସୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମତ୍ସ୍ୟଜୀବୀ, ଚାଷୀ ଏବଂ ଅନ୍ୟ ପ୍ରଭାବିତ ପରିବାରଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ସାରା ଓଡ଼ିଶାକୁ ବନ୍ୟା ସ୍ଥିତି ଗ୍ରାସ କରିଛି l ସମସ୍ତ ଆକଳନ ପରେ କ୍ଷତି ପୂରଣ ଦିଆଯିବ ଯଦି କ୍ଷତି ଅଧିକ ଆକଳନ ହୁଏ ଆହୁରି ମଧ୍ୟ ଟଙ୍କା ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିଲିଫ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ l ବରଗଡ଼ ଜିଲ୍ଲା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶନ୍ନ ପାଣ୍ଡେ, ଆମ୍ବଭାନା ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।