ସୁନ୍ଦରଗଡ଼, (ସତ୍ୟପାଠବ୍ୟୁରୋ): ଗାଁରେ ଅଙ୍ଗନବାଡ଼ିଟିଏ ନାହିଁ, ସ୍କୁଲରେ ୧୭ ବର୍ଷ ହେଲା ଝୁଲୁଛି ତାଲା। ବିଜେଡି ସରକାର ସମୟରେ ପିଲା ସଂଖ୍ୟା କମ୍ ଦର୍ଶାଇ ୨୦୦୯ରୁ ସ୍କୁଲ ବନ୍ଦ କରାଗଲା। କିନ୍ତୁ ସ୍କୁଲ ବନ୍ଦ ହେବା ପରେ ପିଲାମାନଙ୍କ ଶିକ୍ଷା କିପରି ଚାଲିବ, ସେ ଦାୟିତ୍ୱ କେହି ନେଲେ ନାହିଁ। ଫଳରେ ପିଲାଙ୍କ ପାଠପଢ଼ାରେ ଲାଗିଛି ଡୋରୀ। ଦୁର୍ଗମ ରାସ୍ତା ଯୋଗୁଁ ପାଖ ଗାଁ ସ୍କୁଲ ଯିବା ବି ମୁସ୍କିଲ।  ପିଲାଙ୍କ ହାତରୁ ବହି ଖାତା ଛଡ଼ାଇ ନିଆଯାଇଛି କହିଲେ କିଛି ଭୁଲ ହେବନାହିଁ। ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ର ରାଜବାହାଲ ପଞ୍ଚାୟତ ୫ ନମ୍ବର ୱାର୍ଡର ଜୁନିଆନି ଗାଁର ଦୃଶ୍ୟ। ଓଡ଼ିଶା ସୀମାନ୍ତରେ ପାହାଡ଼ ଉପରେ ଥିବା ଏହି ଗାଁରେ ପ୍ରାୟ ୩୦ ପରିବାରର ୧୭୦ ଲୋକ ବସବାସ କରନ୍ତି। ଆଜି ବି ଏଠାକାର ଲୋକେ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ଏଠାରେ ଥିବା ଏକ ମାତ୍ର ସ୍କୁଲ ବର୍ଷ ବର୍ଷ ଧରି ବନ୍ଦ ପଡ଼ିଛି, ଅନ୍ୟପଟେ ଅଙ୍ଗନବାଡ଼ିଟିଏ ବି ନାହିଁ। ପିଲା କେମିତି ପଡ଼ିବେ ସେ ନେଇ କାହାର ନିଘା ନାହିଁ। ଗାଁରେ ଏମିତି ବି ପିଲା ଯିଏକି ଏ ଯାଏଁ ଖଡ଼ି ଛୁଇଁ ନାହାନ୍ତି। ଗାଁର ବିକାଶ ପାଇଁ ଅନେକ ଯୋଜନା ହେଉଛି, ହେଲେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଜୁନିଆନି ଗାଁ। କେବଳ ଶିକ୍ଷା ନୁହେଁ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାବେଳେ, ସ୍ୱାସ୍ଥ୍ୟସେବା ବି ଅପହଞ୍ଚ। ଅଧିକାଂଶ ସମୟ ରୋଗୀ ଖଟିଆରେ ବୁହା ହେଉଥିବା ଦେଖାଯାଇଛି। ସରକାରୀ ଯୋଜନାରେ ହୋଇଥିବା ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇଥିବାବେଳେ ପିଇବା ପାଣି ପାଇଁ କୂଅ ହିଁ ଏକ ମାତ୍ର ଭରସା। ଗାଁବାସୀଙ୍କ କହିବା ଅନୁସାରେ, ସ୍କୁଲ ବନ୍ଦ ପରେ ଗାଁର ଅନେକ ପିଲା ପାଠପଢ଼ା ଛାଡ଼ିଛନ୍ତି। ଯେଉଁ କିଛି ପିଲା ପାଠ ପଢ଼ୁଛନ୍ତି, ସେମାନଙ୍କୁ ପ୍ରତିଦିନ ଗାଁ ବାହାରକୁ ଯିବାକୁ ପଡ଼ୁଛି। ପାହାଡ଼ ଚଢ଼ି ଯାତାୟାତ କରୁଛନ୍ତି ଲୋକେ।  ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବାରୁ ଯେଉଁ ବୟସରେ ଶିଶୁଙ୍କ ମୂଳଦୁଆ ମଜଭୁତ ହେବା କଥା, ସେହି ବ୍ୟବସ୍ଥା ଏଠାରେ ନାହିଁ। ସ୍କୁଲ ବନ୍ଦ କରିଦେବା ସହଜ, କିନ୍ତୁ ଏହି ପିଲାଙ୍କ ଭବିଷ୍ୟତର ଦାୟିତ୍ୱ ନେବା କଷ୍ଟକର ହୋଇପଡ଼ିଛି। ଜୁନିଆନି ଗାଁକୁ ଯିବା ଅର୍ଥ ହେଉଛି ପ୍ରାୟ ଦୁଇ କିଲୋମିଟର ପାହାଡ଼ ଚଢ଼ିବା। ନା ଅଛି ସହଜ ରାସ୍ତା, ନା ଅଛି ସହଜ ଯାତାୟାତ। ଚାରିପଟେ ଘଞ୍ଚ ଜଙ୍ଗଲ। ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହିଛି। ସରକାର ଗାଁର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ପ୍ରଶାସନ ମଧ୍ୟ ଯୋଜନାର କାର୍ଯ୍ୟାନ୍ୱୟନ କରୁଛି। ଜନପ୍ରତିନିଧିମାନେ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ଉଠାଇବାର ଦାୟିତ୍ୱ ନେଇଛନ୍ତି। ତେବେ ଏଠାରେ କେଉଁଠି ସମସ୍ୟା ରହିଛି ସେନେଇ ପ୍ରଶ୍ନ ସୃଷ୍ଟି ହେଉଛି। ଗାଁ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି। ପ୍ରଶାସନ କେବେ ଏହାର ସମାଧାନ କରିବେ ତାକୁ ହିଁ ଅପେକ୍ଷା।