ବଲାଙ୍ଗୀର, (ସତ୍ୟପାଠବ୍ୟୁରୋ) : ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଆଲାନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ବାସୋପଯୋଗୀ ଜମିରେ ପରିବର୍ତ୍ତନ କରିବା ସଂକ୍ରାନ୍ତୀୟ ମ୍ୟୁଟେସନ୍ ମାମଲାରେ ଫାଇଲ୍ ପ୍ରକ୍ରିୟାକରଣ ଏବଂ କ୍ଷେତ୍ର ତଦନ୍ତ ରିପୋର୍ଟ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ସେ ଉକ୍ତ ଆବେଦନକାରୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସରକାରୀ ନିୟମାବଳୀ ଅନୁଯାୟୀ ଆବେଦନକାରୀ ଏଥିପାଇଁ ୦୭.୦୯.୨୦୨୬ ରେ ଅନଲାଇନ୍‌ରେ ଆବେଦନ କରିଥିଲେ। ଆବେଦନକାରୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଅଭିଯୁକ୍ତ ଆରଆଇ ବେହେରା କୌଣସି କାରଣ ନ ଦର୍ଶାଇ ପ୍ରକ୍ରିୟା ଆରମ୍ଭ କରୁ ନ ଥିଲେ। ଏହା ପରିବର୍ତ୍ତେ ଅଭିଯୁକ୍ତ ଶ୍ରୀ ବେହେରା ପ୍ରକ୍ରିୟା ଆରମ୍ଭ କରିବା ଏବଂ ତାଙ୍କ ସପକ୍ଷରେ ବାସୋପଯୋଗୀ ଜମିର ଆରଓଅାର (ଜମି ସ୍ୱତ୍ୱାଧିକାର କାଗଜପତ୍ର) ପ୍ରଦାନ କରିବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯେତେବେଳେ ଅଭିଯୋଗକାରୀ ଲାଞ୍ଚ ଦେବାକୁ ଅସମର୍ଥତା ପ୍ରକାଶ କଲେ। ଅଭିଯୁକ୍ତ ଆରଆଇ ଲାଞ୍ଚ ପରିମାଣକୁ ୩,୦୦୦ ଟଙ୍କାକୁ ହ୍ରାସ କରିଥିଲେ। ଅସୁବିଧାର ସମ୍ମୁଖୀନ ହୋଇ ଏବଂ ଦାବି ପୂରଣ କରିବାରେ ଅସମର୍ଥ ହୋଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ପାଇବା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅଭିଯୋଗକାରୀଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଅାରଆଇ ଶ୍ରୀ ବେହେରାଙ୍କୁ ଧରିଥିଲା। ଅଭିଯୁକ୍ତ ଶ୍ରୀ ବେହେରାଙ୍କ ନିକଟରୁ ସମୁଦାୟ ୩,୦୦୦ ଟଙ୍କା ଲାଞ୍ଚ ଅର୍ଥ ଉଦ୍ଧାର କରାଯାଇ ଜବତ କରାଯାଇଛି।