ଲଦାଖ, (ସତ୍ୟପାଠବ୍ୟୁରୋ) : ଲଦାଖର ୨୮ଟି ସ୍ଥାନର  ନାମ ଘୋଷଣା କରିବା ସହ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ସାମିଲ କରିବା ପାଇଁ ଭାରତର ପଦକ୍ଷେପକୁ ବିରୋଧ କରିଛି ଚୀନ୍ । ଭାରତର ଏହି ନିଷ୍ପତ୍ତିକୁ ବେଜିଂ ‘ଏକପାଖିଆ ଓ ବେଆଇନ’ କହିଛି । ଏଥିସହ ଲଦାଖକୁ ନେଇ ନିଜର ଦାବି ଦୋହରାଇବା ସହ ଏହି ପଦକ୍ଷେପକୁ ଚୀନ୍ ସ୍ୱୀକାର କରେ ନାହିଁ ବୋଲି ସ୍ପଷ୍ଟ କରିଛି । ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲଦାଖର ସୀମାନ୍ତ ଅଞ୍ଚଳର ୨୮ଟି ସ୍ଥାନର ମାନକ ନାମ ନିର୍ଦ୍ଧାରଣ କରାଯିବା ଏବଂ ସେଗୁଡ଼ିକୁ ସରକାରୀ ମାନଚିତ୍ରରେ ଚିହ୍ନିତ କରାଯିବା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତରରେ ମାଓ ନିଙ୍ଗ୍ କହିଥିଲେ ଯେ, ଭାରତ ଏକପାଖିଆ ଭାବେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିଛି । ଚୀନ୍ ଏହି ପଦକ୍ଷେପକୁ ସ୍ୱୀକୃତି ଦିଏ ନାହିଁ । ଚୀନ୍‌ର ଦାବି ଅନୁଯାୟୀ, ଭାରତ-ଚୀନ୍ ସୀମାର ପଶ୍ଚିମ ଭାଗ ଚୀନ୍‌ର ଅଂଶ ହୋଇ ରହିଆସିଛି ଏବଂ ଏହାର ସ୍ଥିତି ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଚଳିତ ଅକ୍ଟୋବର ମାସର ଆରମ୍ଭରେ ଭାରତ ଲଦାଖର ୨୮ଟି ସ୍ଥାନର ନାମକୁ ମାନକୀକରଣ କରିଥିଲା। ଏହି ସ୍ଥାନଗୁଡ଼ିକୁ ସରକାରୀ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଚିହ୍ନିତ କରାଯାଇଛି। ଏହି ତାଲିକାରେ ଆତିଶା ଗିରି, ବ୍ରାଙ୍ଗସା, ଚାପଚିଙ୍ଗାଲ ପାସ୍ ସମେତ ଅନ୍ୟାନ୍ୟ ସ୍ଥାନ ରହିଛି । ଏହି ପଦକ୍ଷେପ ଜରିଆରେ ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନର ନାମ ଓ ପରିଚୟକୁ ସ୍ପଷ୍ଟ କରିବା ସହ ଜନସଚେତନତା ବୃଦ୍ଧି କରିବା ଭାରତ ସରକାରଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଅରୁଣାଚଳ ପ୍ରଦେଶକୁ ନେଇ ମଧ୍ୟ ରହିଛି ବିବାଦ।