ମସ୍କୋ (ସତ୍ୟପାଠ ବ୍ୟୁରୋ) : ରୁଷ-ୟୁକ୍ରେନ୍ ଯୁଦ୍ଧରେ ପୁଣି ତେଜିଲା ଉତ୍ତେଜନା। ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବାବେଳେ, ଏବେ ରୁଷର ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରିବାକୁ ସଙ୍କେତ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ତାଙ୍କର କଡ଼ା ଆଭିମୁଖ୍ୟ, ଆମେ ଆଉ ସହିବୁ ନାହିଁ। ରୁଷ ଯଦି ୟୁକ୍ରେନ୍ର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଜାରି ରଖିବ, ତେବେ ୟୁକ୍ରେନ୍ ମଧ୍ୟ ରୁଷର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିବ ବୋଲି ସଙ୍କେତ ମିଳିଛି। ଖବର ଅନୁସାରେ, ରୁଷର ରାଜାନ୍ ଅଞ୍ଚଳରେ ଥିବା ଏକ ବଡ଼ ତୈଳ ବିଶୋଧନାଗାର ଉପରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ବିଶୋଧନାଗାର ରୁଷର ସରକାରୀ ତୈଳ କମ୍ପାନୀ ରୋସନେଫ୍ଟ ଦ୍ୱାରା ପରିଚାଳିତ। ରୁଷର ତୈଳ ବିଶୋଧନ କ୍ଷମତାରେ ଏହାର ଏକ ବଡ଼ ଭାଗ ରହିଥିବା ବେଳେ, ମସ୍କୋକୁ ଇନ୍ଧନ ଯୋଗାଣରେ ମଧ୍ୟ ଏହାର ଗୁରୁତ୍ୱ ରହିଛି। ତେଣୁ ଏହି ଆକ୍ରମଣ ରୁଷର ଶକ୍ତି କ୍ଷେତ୍ର ଉପରେ ଚାପ ସୃଷ୍ଟି କରିପାରେ। ଜେଲେନସ୍କିଙ୍କ ଅଭିଯୋଗ ହେଉଛି, ଯୁଦ୍ଧବିରତି ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ରୁଷ ୟୁକ୍ରେନ୍ର ବିଦ୍ୟୁତ୍ କେନ୍ଦ୍ର ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ୟୁକ୍ରେନ୍ ଆଉ ସଂଯମତା ଅବଲମ୍ବନ କରିବ ନାହିଁ ବୋଲି ଜେଲେନସ୍କିଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି ।
ଅନ୍ୟପଟେ ଏହି ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ତୈଳ ବଜାର ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୈଳ ଦର ହ୍ରାସ କରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ, ଏଭଳି ଆକ୍ରମଣ ତେଲ ଯୋଗାଣ ଓ ଦରକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ରୁଷ ପକ୍ଷରୁ ମଧ୍ୟ ୟୁକ୍ରେନ୍ର ଆକ୍ରମଣକୁ ଶାନ୍ତି ପ୍ରୟାସ ପାଇଁ ବାଧା ବୋଲି କୁହାଯାଇଛି ।
ଏହାରି ଭିତରେ ୟୁକ୍ରେନ୍ ସେନାର ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ବ୍ୟବହାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଯୋଗାଯୋଗ ବ୍ୟବସ୍ଥାରେ କଟକଣା ଡ୍ରୋନ୍ ପରିଚାଳନାକୁ ପ୍ରଭାବିତ କରୁଥିବା ନେଇ ୟୁକ୍ରେନ୍ ପକ୍ଷରୁ ଚିନ୍ତା ପ୍ରକାଶ ପାଇଛି । ତେବେ ରୁଷ-ୟୁକ୍ରେନ୍ ଯୁଦ୍ଧରେ ଏହି ନୂଆ ମୋଡ଼ ଆଗକୁ କେଉଁ ରୂପ ନେବ? ରୁଷର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ବଢ଼ିଲେ, ଏହାର ପ୍ରଭାବ କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ରହିବ ନାହିଁ, ବରଂ ବିଶ୍ୱ ଅର୍ଥନୀତି ଓ ଇନ୍ଧନ ବଜାର ଉପରେ ମଧ୍ୟ ପଡ଼ିପାରେ। ଏବେ ସମସ୍ତଙ୍କ ନଜର ଜେଲେନସ୍କିଙ୍କ ପରବର୍ତ୍ତୀ ପଦକ୍ଷେପ ଓ ରୁଷର ପ୍ରତିକ୍ରିୟା ଉପରେ ।
