ସମ୍ବଲପୁର, (ସତ୍ୟପାଠ ବ୍ୟୁରୋ) : ମୌସୁମୀ ବର୍ଷା ସରିବା କ୍ଷଣି ମହାନଦୀ ଉପରେ ପୁଣି ଥରେ ଛତିଶଗଡ଼ ନିଜର ଏକଛତ୍ରବାଦ ବା ଦାଦାଗିରି ଆରମ୍ଭ କରିଦେଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋସ ଆଲୋଚନା ଚାଲିଥିବା ବେଳେ, ଅପରପକ୍ଷରେ ଛତିଶଗଡ଼ ସରକାର କଲମା ବ୍ୟାରେଜ୍ର ମୋଟ ୬୬ଟି ଗେଟ୍ ମଧ୍ୟରୁ ୬୩ଟି ଗେଟ୍ ବନ୍ଦ କରିଦେଇଛନ୍ତି। ମୌସୁମୀ ସମୟରେ ଛତିଶଗଡ଼ ଅତିରିକ୍ତ ବନ୍ୟା ଜଳ ଓଡ଼ିଶା ଆଡ଼କୁ ଛାଡ଼ି ଦେଇଥାଏ, ଯାହାଦ୍ୱାରା ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ମାତ୍ର ବର୍ଷା ଦିନ ସରି ସରି ଆସିବା ମାତ୍ରେ ଗେଟ୍ଗୁଡ଼ିକୁ ବନ୍ଦ କରିଦେବା ଫଳରେ ଅଣ-ମୌସୁମୀ ସମୟରେ ଓଡ଼ିଶାରେ ମହାନଦୀ ଶୁଖିଯିବା ଆଶଙ୍କା ଦେଖାଦେଇଛି। ଏହି ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଟ୍ରିବ୍ୟୁନାଲ ସ୍ତରରେ ମଧ୍ୟ ପ୍ରକ୍ରିୟା ଜାରି ରହିଛି, କିନ୍ତୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ମୌସୁମୀ ଲେଉଟିବା ମାତ୍ରେ ଛତିଶଗଡ଼ର ଏଭଳି ଏକତରଫା ନିଷ୍ପତ୍ତିକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯାଉଛି। ଉପର ମୁଣ୍ଡରେ ମହାନଦୀର ତଣ୍ଟି ଚିପୁଛି ଛତିଶଗଡ଼। ଫଳରେ ଓଡ଼ିଶାକୁ ଆସୁଥିବା ଜଳର ପରିମାଣ ମାତ୍ର ୫ ହଜାର କ୍ୟୁସେକ୍ ମଧ୍ୟରେ ସୀମିତ ରହିଛି । ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିବା ଆରମ୍ଭ କରିଛି। ଉପରମୁଣ୍ଡରୁ ଜଳପ୍ରବେଶ କମିବାରୁ ମାତ୍ର ସପ୍ତାହକ ମଧ୍ୟରେ ଜଳସ୍ତର ଫୁଟେରୁ ଅଧିକ ଖସିଗଲାଣି। ବିଭିନ୍ନ ଶିଳ୍ପସଂସ୍ଥାର ଇନ୍ଟେକ୍ ୱେଲ୍କୁ ଜଳଯୋଗାଣ ପାଇଁ ଛତିଶଗଡ଼ ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହେଉଥିବା ବେଳେ ଆଗକୁ ହୀରାକୁଦର ଜଳସ୍ଥିତିକୁ ନେଇ ବଢ଼ିଛି ଚିନ୍ତା। ମହାନଦୀ ଜଳ ବିବାଦ ଆରମ୍ଭ ହେବା ଦିନଠାରୁ ଛତିଶଗଡ଼ର କଲମା ବ୍ୟାରେଜ୍ ବିବାଦର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ବିଶେଷକରି ଅଣମୌସୁମୀ ଋତୁରେ ଏଠାରେ ଜଳ ଅଟକାଇ ରଖାଯାଉଥିବା ବେଳେ ମୌସୁମୀ ସମୟରେ ଏକକାଳୀନ ଗେଟ୍ ଖୋଲାଯିବା ଓଡ଼ିଶା ପାଇଁ ଚିନ୍ତାର କାରଣ ହେଉଛି। ଗତ ମାସରେ ହୋଇଥିବା ବନ୍ୟା ସମୟରେ କଲମାରୁ ଅପ୍ରତ୍ୟାଶିତ ଭାବେ ପାଣି ଆସିବା ଫଳରେ ହୀରାକୁଦର ଉପରମୁଣ୍ଡରେ ଥିବା ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ବର୍ଷା କମିବା ପରେ ଜଳପ୍ରବାହକୁ ରୋକିବା ଆରମ୍ଭ କରିଛି ଛତିଶଗଡ଼। ଫଳରେ ଓଡ଼ିଶା ସୀମାରେ ପହଞ୍ଚିବା ବେଳକୁ ଜଳଧାରା କ୍ଷୀଣ ହୋଇ ସରୁ ଧାରଟିଏ ହୋଇଯାଉଛି।
