(ସତ୍ୟପାଠ ବ୍ୟୁରୋ) କଟକ: ଜଣେ ଲୋକ ପ୍ରତିନିଧି ହୋଇ ଅନୁଭବ ବିରୋଧୀଙ୍କ ପ୍ରଶ୍ନର ସଠିକ ଉତ୍ତର ନେଦେବା ସମସ୍ତଙ୍କୁ ତାଜୁବ୍ କରିଛି । ଆଇନ ପ୍ରଣୟନରେ ଯାହାଙ୍କର ମୂଲ୍ୟବାନ ଭାଗିଦାରୀ ଯେଉଥିପାଇଁ ସମାଜ ସମ୍ମାନ ଦେଉଛି ସେମାନଙ୍କଠାରୁ ଯଦି ଏଭଳି ଅସ୍ପଷ୍ଟ ଉତ୍ତର ମିଳେ ତା’ହେଲେ କାହାଠାରୁ ଆଉ କ’ଣ ଆଶା କରାଯିବ ? ଅତୀତରେ ସାଂସଦ ନିଜର ପଦ ମର୍ଯ୍ୟଦାକୁ ଅନେକବାର ଭୁଲୁଣ୍ଠିତ କରିଥିଲେ ବି ଏଥରର ଘଟଣା ସବୁକୁ ବଳି ଯାଇଛି ।

ସାଧାରଣରେ ଗୋଟିଏ ଲୋକ କଥା ଅଛି କି ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଯାହା ଅନୁଭବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ପଚରା ଯାଇଥିବା କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଅନୁଭବ ଦେଇନାହାନ୍ତି ବରଂ କିଛି ଭ୍ରମାତ୍ମକ ଅଭିଯୋଗ କରି ନିଜ ଉପରୁ ନଜର ହଟାଇବାକୁ ଚେଷ୍ଟା କରିଛନ୍ତି । ଜାଲ୍ ସାର୍ଟିଫିକେଟ୍ ହେଉ ବା ମାଇଗ୍ରେସନ, ମିରଟର ଶୋଭିତ ଇନଷ୍ଟିଚ୍ୟୁଟ ହେଉ ବା କନ୍ଦରପୁର କଲେଜରୁ ବି.ଏ ପାସ ନକରିବା ହେଉ କୌଣସି ଗୋଟିଏ ପ୍ରଶ୍ନର ସିଧା ଉତ୍ତର ଦେଇନାହାନ୍ତି ଅନୁଭବ। ସ୍ପଷ୍ଟୀକରଣ ଦେବାକୁ ଯାଇ ବିଜେଡିର ଲୋକପ୍ରିୟତା, ନବୀନ ବାବୁଙ୍କ ଆଦର୍ଶ ଆଉ କେନ୍ଦ୍ରାପଡାରେ ତାଙ୍କ ଲୋକପ୍ରିୟତାକୁ ସହି ନପାରିବା ପରି କେତକ କଥା ଉଠାଇଛନ୍ତି ।

ଜଣେ ସାଂସଦ ହୋଇ ଜନମାନସକୁ ବିଭ୍ରାନ୍ତି କରିବାର ଯେଉଁ ଅପଚେଷ୍ଟା ସେ କରିଛନ୍ତି ତାହା ସାଧାରଣରେ ଆଦୌ ଗ୍ରହଣୀୟ ନୁହେଁ । ହୁଏତ ଏଭଳି ଇଚ୍ଛାକୃତ ତୃଟି କରିବା ବେଳେ ସାଂସଦ ଏତେଟା ଦୁରଦୃଷ୍ଟି ରଖିନାହାନ୍ତି ଯେଉଥି ପାଇଁ ବର୍ତ୍ତମାନର ସୂଚନା ଅଧିକାର ଆଇନ ବଳରେ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡୁଛି । ସାଂସଦଙ୍କ ସବୁ ଗୁମର ଏବେ ପଦାରେ ପଡ଼ି ଯାଇଛି । ଅନୁଭବଙ୍କ ଏ ଅସ୍ପଷ୍ଟ ଉତ୍ତର ତାଙ୍କ ପାଇଁ ଏବଂ ଦଳ ପାଇଁ ବେଶ୍ ମହଙ୍ଗା ପଡିବ ଏହା ଏବେଠାରୁ ଜଳ ଜଳ ହୋଇ ଦେଖାଯାଉଛି ।