ଶେଷରେ ଭୁଲ୍ ମାନିଲେ ବାବା ରାମଦେବ : ଏଲୋପାଥିକ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟରୁ ଓହରିଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶେଷରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଚିଠି ପରେ ନିଜ ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ରାମଦେବଙ୍କୁ ଚିଠି ଲେଖି ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଥିଲେ। ଏଭଳି ମନ୍ତବ୍ୟ କରୋନା ସଙ୍କଟ ସମୟରେ କୋଟି କୋଟି ଦେଶବାସୀଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକ ଡକ୍ଟର ଏବଂ ଦେଶବାସୀଙ୍କ ଭାବନ ପ୍ରତି କୁଠାରଘାତ ବୋଲି ହର୍ଷବର୍ଦ୍ଧନ କହିଥିଲେ। ଏହା ପରେ ଟ୍ୱିଟ୍ କରି ରାମଦେବ କହିଛନ୍ତି, ” ମୁଁ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଚିଠି ପାଇଛି। ଏବେ ମୋର ମନ୍ତବ୍ଯକୁ ନେଇ ଉପୁଜୁଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଯାଇ ମୁଁ ମୋର ମନ୍ତବ୍ୟରୁ ଓହରୁଛି। ଏଭଳି ମନ୍ତବ୍ୟ ପାଇଁ ସେ ଅନୁତପ୍ତ ବୋଲି କହିଛନ୍ତି। ରାମଦେବ କହିଛନ୍ତି ଯେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଏବଂ ଏଲୋପାଥିକୁ ବିରୋଧ କରୁନାହାନ୍ତି। ଅସ୍ତ୍ରୋପଚାର କ୍ଷେତ୍ରରେ ଏଲୋପାଥି ବହୁତ ବଢିଛି ଏବଂ ଏହା ମାନବିକତା ପାଇଁ ଏକ ସେବା। ରାମଦେବ କହିଛନ୍ତି, ତାଙ୍କ ଭାଇରାଲ ଭିଡିଓ ହେଉଛି ଏକ ବୈଠକ ବେଳର ଭିଡିଓ । ଯେଉଁଥିରେ ସେ ହ୍ୱାଟସଆପରେ ଆସିଥିବା ଏକ ମେସେଜ୍ କୁ ଶୁଣାଉଥିଲେ। କିନ୍ତୁ ଏହା ଯଦି କାହାର ଭାବନାକୁ ଆଘାତ ଦେଇଛି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ରାମଦେବଙ୍କର ଏଲୋପାଥିକ ବିରୋଧରେ ଦେଇଥିବା ଏକ ମନ୍ତବ୍ୟର ଭିଡିଓ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ଏଲୋପାଥିକ ଚିକିତ୍ସାକୁ କଟୁ ଭାଷାରେ ସମାଲୋଚନା କରିଥିବା ନଜର ଆସିଥିଲା। ଏହାକୁ ନେଇ କଡା ବିରୋଧ କରିଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ବାବାଙ୍କ ଏହି ମନ୍ତବ୍ୟ ପାଇଁ କେନ୍ଦ୍ର ସରକାର ତୁରନ୍ତ ରାମଦେବଙ୍କୁ ଗିରଫ କରିବା ପାଇଁ ଆଇଏମଏ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରାଯାଇଥିଲା। ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ବାବାଙ୍କ ଏପରି କଟୁ ମନ୍ତବ୍ୟକୁ ବିରୋଧ କରିଥିଲେ। ଏବଂ କହିଥିଲେ ଯେ, କରୋନା ବେଳେ ଦେବଦୂତ ସାଜିଥିବା ଏଲୋପ୍ୟାଥିକ ଡାକ୍ତର ମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଅପମାନଜନକ । କରୋନା ଯୋଦ୍ଧାମାନଙ୍କୁ ଅସମ୍ମାନ କରି ବାବା ରାମଦେବ ଦେଶର ଭାବନାକୁ ଗଭୀର ଆଘାତ ଦେଇଛନ୍ତି । ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ଏହି ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ବାବା ରାମଦେବ ନିଜ ମନ୍ତବ୍ୟ ପ୍ରତ୍ୟାହାର ସଙ୍ଗେ ସଙ୍ଗେ କ୍ଷମା ପ୍ରାର୍ଥନା କରିଛନ୍ତି।

Related Posts