ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ଖେଡାଙ୍କୁ ବହିଷ୍କାର ଦାବିରେ ମୋଦିଙ୍କୁ ଚିଠି ଲେଖିଲେ ଶରଦ ପାୱାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ଖେଡାଙ୍କୁ ନେଇ ବିବାଦ ବଢିବାରେ ଲାଗିଛି। ବିରୋଧୀ ଦଳ ସମେତ ବିଜେପି ନେତା ମାନେ ମଧ୍ୟ ପ୍ରଫୁଲ୍ଲ ଖେଡାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରୁଛନ୍ତି। ଏହା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଖେଡାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହା ନିଷ୍ପତ୍ତି ଦ୍ୱାରା ଲାକ୍ଷାଦ୍ଵୀପର ଐତିହ୍ୟ , ସଂସ୍କୃତି ଏବଂ ପାରମ୍ପରିକ ଜୀବିକା ନଷ୍ଟ ହୋଇଯିବ । ଏହି ମାମଲାରେ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏବଂ ପ୍ରଶାସକ ଖେଡାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ସେ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଛନ୍ତି। ପାୱାରଙ୍କ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହ ଲାକ୍ଷାଦ୍ଵୀପ ପ୍ରଶାସକ ପଦରୁ ପ୍ରଫୁଲ୍ଲ ଖେଡାଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। 

ବିରୋଧୀଦଳ ନେତାମାନେ ଅଭିଯୋଗ କରିଛନ୍ତି ଯେ ଗୁଜରାଟର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଫୁଲ୍ଲ ଖେଡା ପଟେଲ ଲାକ୍ଷାଦ୍ଵୀପରେ ବସବାସ କରୁଥିବା ବୃହତ ମୁସଲମାନ ଜନସଂଖ୍ୟାକୁ ଟାର୍ଗେଟ କରିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜନୈତିକ ଏଜେଣ୍ଡା ଚଳାଉଛନ୍ତି। ଖେଡାଙ୍କ କାର୍ଯ୍ୟକାଳର ପ୍ରଥମ ପାଞ୍ଚ ମାସରେ ଏମିତି କିଛି ବିବାଦୀୟ ଆଇନ ପ୍ରଣୟନ କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଏହାକୁ କଡା ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ବିରୋଧ କରି #savelakshadweep ହାସଟାଗ ଟ୍ରେଣ୍ଡ କରୁଛି। ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋ-ହତ୍ୟା ନିଷେଧାଦେଶ ଆଇନ , ସାରା ଦେଶରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ ଭଳି କିଛି ବିବାଦୀୟ ଆଇନ ରହିଛି। ଏନସିପି ମୁଖ୍ୟ ଶରଦ ପାୱାର ପିଏମ୍ ମୋଦୀଙ୍କୁ ଲେଖିଥିବା ତାଙ୍କ ଚିଠିରେ ଲାକ୍ଷାଦ୍ଵୀପ ପ୍ରଶାସନଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିର ପୁନଃ ଯାଞ୍ଚ କରାଯାଉ ଏବଂ ଏହାକୁ ପ୍ରତ୍ୟାହାର କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି କରିଛନ୍ତି।  ପାୱାର ଦାବି କରିଛନ୍ତି ଯେ ଲାକ୍ଷାଦ୍ଵୀପ ପାଇଁ ଏକ ନୂତନ ପ୍ରଶାସକଙ୍କୁ ନିଯୁକ୍ତି କରାଯାଉ “ଯିଏ ଲୋକଙ୍କ ପ୍ରତିନିଧୀଙ୍କ ସହ ମିଶି କାର୍ଯ୍ୟ କରିବେ ।” ବିରୋଧୀ ଦଳ ବ୍ୟତୀତ ବିଜେପିର ଲାକ୍ଷାଦ୍ଵୀପ ୟୁନିଟ୍ ର ସାଧାରଣ ସମ୍ପାଦକ ଏଚ୍.କେ ମହମ୍ମଦ କାସୀମ ମଧ୍ୟ ମୋଦୀଙ୍କୁ ଚିଠି ଲେଖି ପଟେଲଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନୂତନ ଆଇନ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପିର ଉଦ୍ୟମକୁ ପଟେଲ ସମର୍ଥନ କରୁନଥିବା ସେ ଅଭିଯୋଗ କରିଛନ୍ତି। କାସିମ କହିଛନ୍ତି ଯେ, ଦ୍ୱୀପପୁଞ୍ଜର ଲୋକଙ୍କର କିଛି ଅଭିଯୋଗରେ ସତ୍ୟତା ରହିଛି। ପଟେଲ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଲୋକ ଏବଂ ସେମାନଙ୍କର ନିର୍ବାଚିତ ପ୍ରତିନିଧିଙ୍କ ମତାମତ ନେବା ସର୍ବଦା ଭଲ। ” ସୂଚନାଯୋଗ୍ୟ, ବୁଧବାର ଦିନ ଲାକ୍ଷାଦ୍ଵୀପ ସ୍ଥିତ ବିଜେପି ଯୁବ ମୋର୍ଚ୍ଚାର ଆଠଜଣ ସଦସ୍ୟ ପ୍ରଶାସକ ପଟେଲଙ୍କ “ଅଗଣତାନ୍ତ୍ରିକ ନିଷ୍ପତ୍ତି ” କୁ ବିରୋଧ କରି ଇସ୍ତଫା ଦେଇଛନ୍ତି।

Related Posts