ପଶ୍ଚିମବଙ୍ଗ ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲା : ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣିରୁ ଜଣେ ବିଚାରପତି ଓହରି ଯାଇଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଇନ୍ଦିରା ବାନାର୍ଜୀ ନିଜ ଆଡୁ ଏହି ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି। ସେ କହିଛନ୍ତି, “ମୁଁ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହିଁ। ମୋ ପାଖରେ ଏହାକୁ ଉପସ୍ଥାପନ କରନାହିଁ।” ସୂଚନାଯୋଗ୍ୟ ଯେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ପଶ୍ଚିମବଙ୍ଗରୁ ଆସନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡ଼ିତ ଲୋକଙ୍କ ପରିବାର ବର୍ଗ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଥିଲେ। ବେଙ୍ଗଲ ସରକାର ଏହାର ଉତ୍ତରରେ କହିଛନ୍ତି ଯେ, ଏଭଳି ଆବେଦନ ରାଜନୈତିକ ଦୃଷ୍ଟିକୋଣରୁ କରାଯାଇଛି ଏବଂ ନିର୍ବାଚନ ପରବର୍ତ୍ତୀ ପ୍ରତିଟି ହିଂସାକୁ ଏହା ସହ ତୁଳନା କରିବା ଉଚିତ ନୁହେଁ ବୋଲି କହିଛନ୍ତି। ଗତ ମାସରେ ବେଙ୍ଗଲ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ତଥାକଥିତ ୨ ଜଣ ବିଜେପି କର୍ମୀଙ୍କ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜଷ୍ଟିସ ବାନାର୍ଜୀ ଏହି ମାମଲାର ଶୁଣାଣି କରିବାକୁ ଥିବା ଖଣ୍ଡପୀଠରୁ ଓହରି ଯିବା ପରେ ଏବେ ଆଉ ଏକ ଖଣ୍ଡପୀଠକୁ ମାମଲାର ଶୁଣାଣି ପାଇଁ ପଠାଯିବ । ନିର୍ବାଚନ ପରବର୍ତ୍ତୀ ହିଂସା ବେଳେ ଦୁଇ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେମାନେ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ମେ ୯ ତାରିଖରେ ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ଜଣେ ନାବାଳକ ମୁର୍ସିଦାବାଦ ଜିଲ୍ଲାରେ ତଥାକଥିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟଜଣେ ପୂର୍ବ ମେଦିନୀପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କଙ୍କୁ ମେ ୪ ତାରିଖରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ହିଂସା ହୋଇଥିବା ନେଇ ଉଭୟ ଦାବି କରିଛନ୍ତି। ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ପରେ ଟିଏମସି କର୍ମୀ ମାନେ ତଥାକଥିତ ଭାବେ ବିଜେପି କର୍ମୀଙ୍କୁ ହତ୍ୟା, ମହିଳାଙ୍କୁ ଆକ୍ରମଣ, ଲୁଟ୍ ଏବଂ ଭଙ୍ଗାରୁଜା କରିଥିବା ନେଇ ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଥିଲା। ଏହାର ଜବାବରେ ଟିଏମସି ପକ୍ଷରୁ କୁହାଯାଇଛି ଯେ, ” ଯେହେତୁ ଆଇନ ଶୃଙ୍ଖଳା ଦାୟିତ୍ୱ ନିର୍ବାଚନ କମିଶନଙ୍କ ହାତରେ ଥିଲା। ତେଣୁ ସେ କିଛି କରି ପାରିନଥିଲେ। କିନ୍ତୁ କ୍ୟାବିନେଟ୍ ଶପଥ ନେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ କହିଥିଲେ।

Related Posts