୬ ରୁ ୮ ସପ୍ତାହ ମଧ୍ୟରେ ଭାରତକୁ ଆସିବ କରୋନାର ତୃତୀୟ ଲହର : ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଭୟାବହତା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ। ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ଏ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଭାରତରେ କାୟା ବିସ୍ତାର କରିବାର ସମ୍ଭାବନା ରହିଛି । ସେ ସତର୍କ କରାଇଛନ୍ତି ଯେ ଭାରତକୁ ତୃତୀୟ ଲହର ଆସିବା ନିଶ୍ଚିତ । ଡା ଗୁଲେରିଆ ଆହୁରି ମଧ୍ୟ କହିଛନ୍ତି ଯେ , ପ୍ରଥମ ଓ ଦ୍ୱତୀୟ ଲହରରୁ ଆମେ ଅନେକ କିଛି ଶିକ୍ଷା ଲାଭ କରିଛୁ। କିନ୍ତୁ ଦ୍ୱିତୀୟ ଲହର ହ୍ରାସ ପପାଉଥିବାରୁ ଅନଲକ ହେଉଛି। କିନ୍ତୁ ଲୋକମାନେ ଏକାଠି ହେବା ସହ ବଜାର ଓ ଦୋକାନରେ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରି ଭିଡ଼ ଜମା କରୁଛନ୍ତି। ତେଣୁ ଭାଇରସକୁ ପୁଣିଥରେ ଶକ୍ତି ସଂଗ୍ରହ କରି ଜାତୀୟ ସ୍ତରରେ ସଂକ୍ରମଣ ବୃଦ୍ଧି କରିବାକୁ ମାତ୍ର କିଛି ସମୟ ଲାଗିବ। ତେଣୁ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଦେଶରେ ସଂକ୍ରମଣ ବୃଦ୍ଧି କରିପାରେ। ତୃତୀୟ ଲହର ଲୋକେ କିପରି କଟକଣା ପାଳନ କରୁଛନ୍ତି ତା’ ଉପରେ ନିର୍ଭର କରିବ। ଲୋକମାନେ କଟକଣା କେତେ ମାନୁଛନ୍ତି ଓ ଭିଡ଼ କେତେ କମୁଛି, ତା’କୁ ଦେଖିବାର ଅଛି। ଏତଦ୍ ବ୍ୟତୀତ ସେ ଟିକାକରଣ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି। ସେହିପରି କୋଭିଡ୍-19 ଭାଇରସ ମ୍ୟୁଟେସନ କରୁଥିବାରୁ ଏହାର ଡେଲଟା ଏବଂ ଡେଲଟା ପ୍ଲସ୍ ଭାରିଏଣ୍ଟ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶର ପାଖାପାଖି ୫ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ଦୁଇ ଡୋଜରେ ଟୀକା ନେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ୧୩୦ କୋଟି ଜନତାଙ୍କ ମଧ୍ୟରୁ ୧୦୮ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଦେଶର ବହୁ ସଂଖ୍ୟାକ ଲୋକଙ୍କୁ ଟୀକାକରଣ ପ୍ରକ୍ରିୟାରେ ସାମିଲ କରିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ ତୃତୀୟ ଲହର ପିକ୍ ରେ ପହଞ୍ଚିବା ବେଳକୁ ରାଜ୍ୟରେ ସକ୍ରିୟ ମାମଲା ୮ ଲକ୍ଷ ଛୁଇଁ ପାରେ। ଯେତେବେଳେ ମାମଲା ବୃଦ୍ଧି ପାଇଥାଏ ସେତେବେଳେ ହସ୍ପିଟାଲରେ ବେଡ୍ ଅଭାବ ପଡେ। ତେଣୁ ଏଥିପାଇଁ ଏକ ଠୋସ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Related Posts