ଆବାସ ଯୋଜନାରେ ଚଞ୍ଚକତା : ହିତାଧିକାରୀଙ୍କ ୭ ଲକ୍ଷ ୮୦ ହଜାର ହଡପ କରି ଜେଲ ଗଲେ ଜିଓଟେଗ କର୍ମଚାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସରକାର ଗରିବ ଶ୍ରେଣୀର ହିତାଧିକାରିଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ତେବେ ପଂଚାୟତ ସ୍ତରରେ ନିୟୋଜିତ ଥିବା କର୍ମଚାରୀ ବିଭିନ୍ନ ସମୟରେ ଆବାସ ଯୋଜନାରେ ଦୁର୍ନୀତିରେ ଜଡିତ ଥିବା ଖବର ସାମ୍ନାକୁ ଆସିଥାଏ। ପଂଚାୟତର ଜିଓଟେଗ ଥିବା ଜଣେ କର୍ମଚାରୀ ଚଞ୍ଚକତା କରି ୬ ଜଣ ହିତାଧିକାରୀଙ୍କ ନାମରେ ଆସିଥିବା ଆବାସ ଯୋଜନା ର ଟଙ୍କା କୁ ହଡପ କରିଥିବା ଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ପରେ ବିଡ଼ିଓ ଙ୍କ ଏତଲା ପରେ ପୋଲିସ ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତରେ କାର୍ଯ୍ୟରତ ଥିବା ଜିଓଟେଗ ସଂଜୀବ କୁମାର ଦାସ ବଡ ପୋଡ଼ାଗୁଡା ପଂଚାୟତ ରଏନଗୁଡା ଗ୍ରାମର ପଦ୍ମା ନାଏକ, ଜଗନ୍ନାଥ ଦାସ, ବଡ ପୋଡ଼ାଗୁଡା ଗ୍ରାମର ଧନଞ୍ଜୟ ନାଏକ, ସୁମତି ନାଏକ, ମନ୍ଦାର ବେୱା, ମରୁଆ ଧଙ୍ଗଡା ମାଝୀ ଙ୍କ ନାମରେ ଆସିଥିବା ଆବାସ ଯୋଜନା ର ୭ ଲକ୍ଷ ୮୦ ହଜାର ଟଙ୍କା ଚଞ୍ଚକତା କରି ହଡପ କରିଥିବା ଜଣାପଡ଼ିଛି। ବିଭିନ୍ନ ପର୍ଯାୟରେ ସେ ଏହି ୬ ଜଣ ହିତାଧିକାରୀ ଙ୍କ ଘର ନିର୍ମାଣ ହେଉଥିବା ର ଫୋଟୋ କୁ ନେଇ ବ୍ଲକ ରେ ଡାଟା ଅପରେଟିଂ କରୁଥିବା କର୍ମଚାରୀ ଙ୍କୁ ଦେବାପରେ ସେ ଅପଲୋଡ କରି ହିତାଧିକାରୀ ଙ୍କୁ ଘର ନିର୍ମାଣ ସମୟରେ କିସ୍ତି ରେ ମିଳୁଥିବା ଟଙ୍କା ଜମାଖାତା ରେ ଟ୍ରାନ୍ସଫର କରିଥିଲେ। ତେବେ ଜିଓଟେଗ ଜଣକ ନିଜ ନାମରେ ଥିବା ଦୁଇଟି ବ୍ୟାଙ୍କ ଏକାଉଣ୍ଟ ନିଜ ବାପା ମନୋଜ ଦାସଙ୍କ ଏକାଉଣ୍ଟ, କାଉଡୋଳା ଗ୍ରାମର ଜଣେ ଯୁବତୀଙ୍କ ଆକାଉଣ୍ଟ, ଶଶୀ କୁମାର ଦାସ, ଓ ମନ୍ଦାର ଦାସଙ୍କ ଏକାଉଣ୍ଟ ରେ ଉକ୍ତ ୬ ଜଣ ହିତାଧିକାରୀଙ୍କ ଟଙ୍କା କୁ ଟ୍ରାନ୍ସଫର କରିଥିବା ସୂଚନା ମିଳିଛି। ତେବେ ଏହି ଆବାସ ଯୋଜନା ଜାଲିଆତିରେ ପଂଚାୟତ କର୍ମଚାରୀ ଓ ବ୍ଲକର ଡାଟା ଅପଲୋଡ଼ କରୁଥିବା କର୍ମଚାରୀ କେମିତି ଜାଣି ପାରିଲେ ନାହିଁ ତାହା ସନ୍ଦେହ ଘେର ରହିଛି। ଏହି କରିତକର୍ମା ଜିଓଟେଗଙ୍କ ନାମରେ କିଛି ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ କୋକସରା ବିଡ଼ିଓ ମନୀଷା ଦାସ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ବ୍ଲକ ପ୍ରଶାସନ ତଦନ୍ତ କରିବା ପରେ ଅନିୟମିତତା ଘଟଣା ଜଣାପଡିଥିଲା |କୋକସରା ବିଡ଼ିଓ ମନୀଷା ଦାସ ଏ ନେଇ ଜିଲ୍ଲା ପ୍ରଶାସନ କୁ ମଧ୍ୟ ଜଣାଇଥିବା କହିଛନ୍ତି ଓ ସୋମବାର ସଂପୃକ୍ତ ଜିଓଟେଗ କର୍ମଚାରୀଙ୍କ ନାମରେ ଆମପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। କୋକସରା ବିଡ଼ିଓ ପୋଲିସ ତୁରନ୍ତ ଘଟଣା ରେ ସଂପୃକ୍ତ ଥିବା ବଡ଼ ପୋଡ଼ାଗୁଡା ଗ୍ରାମ ର ଜିଓଟେଗ ସଂଜୀବ କୁମାର ଦାସ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମରେ ଆମପାଣି ଥାନାରେ ଠକାମୀ ମାମଲା ରୁଜୁ ହେବାସହ ଥାନା କେଶ ନମ୍ବର ୫୫/୨୧ ରୁଜୁ ହୋଇ ଦଫା ୪୦୯ ରେ କୋର୍ଟ ଚାଲାଣ କରାଯିବା ନେଇ ଆମପାଣି ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଏ ନେଇ କୋକସରା ବିଡ଼ିଓ ମନୀଷା ଦାସ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଆସିଥିଲା ତଦନ୍ତ ପରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେବାପରେ ଜିଓଟେଗ କର୍ମଚାରୀ ସଂଜୀବ କୁମାର ଦାସ ନାମରେ ଥାନାରେ ଏତଲା ଦିଆଯାଇଛି ଓ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଜବାବ ତଲବ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଆବାସ ଯୋଜନା ରେ ହଡପ ହୋଇଥିବା ୭ ଲକ୍ଷ ୮୦ ଘଟଣାର ମାଷ୍ଟର ମାଇଣ୍ଡ ଜିଓଟେଗ କର୍ମଚାରୀ ନା ତା ପଛରେ କେଉଁ କେଉଁ କର୍ମଚାରୀଙ୍କ ହାତ ରହିଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Posts