‘ପ୍ରଦର୍ଶନ’ ଯଦି ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ମାପକାଠି ତେବେ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ : ସୁରଜେୱାଲା

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଆଜି ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ପ୍ରଦର୍ଶନ ଆଧାରରେ ମନ୍ତ୍ରୀଙ୍କୁ ହଟାଇ ପଦୋନ୍ନତି ଦିଆଯାଉଛି ବୋଲି କୁହାଯାଉଛି। ତେବେ ଏ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଛି। ତେବେ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ଯଦି ପ୍ରଦର୍ଶନ ହେଉଛି ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ମାପକାଠି , ତେବେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଦେବା ଉଚିତ୍। ସେ କହିଛନ୍ତି ଯେ କ୍ୟାବିନେଟର ସମ୍ପ୍ରସାରଣ କେବଳ ଏକ ‘ଡିଫେକ୍ଟର ଆଡଜଷ୍ଟମେଣ୍ଟ ଏକ୍ସରସାଇଜ୍’ । ସୁରଜେୱାଲା କହିଛନ୍ତି, ଯଦି ପ୍ରଦର୍ଶନ ହେଉଛି ମନ୍ତ୍ରୀ ହେବାର ଏକମାତ୍ର ମାପକାଠି ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ବାହାରି ଯିବା ଉଚିତ, କାରଣ ଚୀନ୍ ଭାରତର ଜାଗା ଦଖଲ କରିଛି। ସେ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଗୃହମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇ ଦେବା ଉଚିତ, କାରଣ ତାଙ୍କ ସମୟରେ ଟେରରିଜମ୍ ଲିଞ୍ଚିଂ ଏବଂ ଜେଲ୍ ମୃତ୍ୟୁ ଏବେ ବଢିବାରେ ଲାଗିଛି । ନକ୍ସଲବାଦ ଅନିୟନ୍ତ୍ରିତ ହୋଇଛି । ତୈଳ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ହଟାଇବା ଉଚିତ ବୋଲି ସୁରଜେୱାଲା କହିଛନ୍ତି। ଅର୍ଥନୀତିର ଭୁଲ ପରିଚାଳନା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଉଚିତ୍। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି। କାରଣ ସେ ଦେଶର ଶାନ୍ତିକୁ ଅଳିଆଗଦାରେ ପକାଇ ଦେଇଛନ୍ତି।

Related Posts