(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଞ୍ଜାବ କଂଗ୍ରେସରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଏପଟେ ହାଇକମାଣ୍ଡ ମଧ୍ୟ ଏହାର ସମାଧାନ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଦଳର ଦୁଇ ହେଭିୱେଟ୍ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଉଭୟ ବାର ବାର ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ହାଇକମାଣ୍ଡଙ୍କୁ ମଧ୍ୟ ଭେଟିଛନ୍ତି। କିନ୍ତୁ ସମାଧାନର ବାଟ ବର୍ତ୍ତମାନ ସୁଦ୍ଧା ବାହାରି ପାରି ନାହିଁ। ଏହା ମଧ୍ୟରେ ପଞ୍ଜାବ ଦାୟିତ୍ୱରେ ଥିବା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସମାଧାନ ନେଇ ଏକ ସଙ୍କେତ ଦେଇଥିଲେ। ତାଙ୍କର ଫର୍ମୁଲା ଥିଲା ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖିଆ କରାଯିବ ଏବଂ କ୍ୟାପଟେନଙ୍କ ନେତୃତ୍ୱରେ ଦଳ ନିର୍ବାଚନକୁ ଓହ୍ଲାଇବ। ତେବେ ଏହି ଖବର ପ୍ରକାଶ ପାଇବା ପରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। 

   ଗୁରୁବାର ବିଳମ୍ବିତ ରାତିରେ ଚଣ୍ଡିଗଡ଼ ନିକଟସ୍ଥ ଫାର୍ମହାଉସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କର ନିକଟତମ କିଛି ବିଧାୟକ ତଥା ସାଂସଦଙ୍କ ସମେତ ବୈଠକ କରି ଥିଲେ।  ଏହି ବୈଠକ ମାଧ୍ୟମରେ ସେ ହାଇକମାଣ୍ଡଙ୍କୁ ସଙ୍କେତ ଦେଇଥିଲେ ଯେ ସେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି କରାଯିବା ନିଷ୍ପତ୍ତିରେ ଖୁସି ନୁହଁନ୍ତି। ସେ ସିଦ୍ଧୁଙ୍କୁ ଆରମ୍ଭରୁ ବିରୋଧ କରିଆସୁଛନ୍ତି।

 ଏହା ପରେ ଅମରିନ୍ଦର କ୍ଯାମ୍ପରୁ ଖବର ଆସିଲା ଯେ ସିଦ୍ଧୁଙ୍କୁ ଦଳର ମୁଖ୍ୟ କରାଗଲେ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ଏହି ସନ୍ଦେଶ ବିବାଦକୁ ଆହୁରି ତୀବ୍ର କରିଥିଲା। 

 ପରେ କ୍ୟାପଟେନଙ୍କ ମିଡିଆ ପରାମର୍ଶଦାତା ରେଭେନ୍ ଠାକୁରାଲ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଥିଲେ। କ୍ୟାପଟେନ ପଞ୍ଜାବରେ କଂଗ୍ରେସକୁ 2022 ନିର୍ବାଚନରେ ବିଜୟୀ କରାଇବେ, ଯେପରି ସେ 2017 ରେ କରିଥିଲେ ବୋଲି ଠାକୁରାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଏପଟେ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ଉଭୟ ସିଦ୍ଧୁଙ୍କୁ ସମର୍ଥନ କରୁଛନ୍ତି। କୁହାଯାଉଛି ଯେ ସେ ସିଦ୍ଧୁ ହେଉଛନ୍ତି  ପରବର୍ତ୍ତୀ ନେତା ଯିଏ ଦଳକୁ ପଞ୍ଜାବରେ ବିଜୟ ଯାତ୍ରାରେ ସାହାଯ୍ୟ କରିବେ । ସିଦ୍ଧୁ ମଧ୍ୟ ତାଙ୍କ ନିକଟବର୍ତ୍ତୀ ଲୋକଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ, ଯେଉଁଠାରେ ପୂର୍ବରୁ କ୍ୟାପଟେନଙ୍କ ବିଶ୍ୱସ୍ତ ନେତା ମଧ୍ୟ ଉପସ୍ଥିତ ଥିଲେ ଏବଂ ସିଦ୍ଧୁଙ୍କୁ ସମର୍ଥନ ଜଣାଇଥିଲେ। 

 ଗତ କିଛି ମାସ ଧରି ନବଜୋତ୍ ସିଂ ସିଦ୍ଧୁ ଅମରିନ୍ଦରଙ୍କ ନେତୃତ୍ୱକୁ କଡା ସମାଲୋଚନା କରିଆସୁଥିଲେ।  ସେମାନଙ୍କ ତିକ୍ତତାର ଫ୍ଲାସପଏଣ୍ଟ ହେଉଛି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଏକକ ବେଞ୍ଚ ଆଦେଶ ଯାହା ବଳିଦାନ ମାମଲାରେ କଂଗ୍ରେସ ସରକାରଙ୍କ ଯାଞ୍ଚକୁ କୋର୍ଟଙ୍କ ଦ୍ୱାରା ଖଣ୍ଡନ କରାଯାଇଛି।

 କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସିଦ୍ଧୁ ଅସ୍ତ୍ର କରି ଅମରିନ୍ଦରଙ୍କ ଦୁର୍ବଳ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ସେହିପରି ପଞ୍ଜାବରେ ଡ୍ରଗ୍ସ କାରବାର , ଚୋରା ବାଲି ଚାଲାଣ ଭଳି ପ୍ରସଙ୍ଗରେ ସେ କ୍ୟାପଟେନ୍ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ।  ପଞ୍ଜାବରେ ଦୁଇ ପରିବାର ଏହାର ଫାଇଦା ନେଉଛନ୍ତି ବୋଲି ତାଙ୍କ ବିବୃତ୍ତି (ଗୋଟିଏ ହେଉଛି ବାଦଲ ଏବଂ ଅନ୍ୟଟି ଅମରିନ୍ଦର) ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। 

ରାଜନୈତିକ ବିଶ୍ଳେଷକ ଆଶୁତୋଷ କୁମାର କହିଛନ୍ତି ଯେ ଯଦି ଦଳ ଚିନ୍ତା କରୁଛି ଯେ ସିଦ୍ଧୁଙ୍କୁ ଉପରକୁ ଉଠାଇ ସଙ୍କଟ ଦୂର କରି ହେବ, ତେବେ ଏହା ଏକ ମୂର୍ଖାମି । ସେ କହିଛନ୍ତି ଗୁରୁବାରର ଘଟଣା ଏହା ସ୍ପଷ୍ଟ କରିଦେଇଛି ଯେ ଶାନ୍ତି ପ୍ରତି କେହି ଆଗ୍ରହୀ ନୁହଁନ୍ତି। ସେ କହିଛନ୍ତି ଯେ ଦଳ ମଧ୍ୟ ଜାଣିଛି ଯେ ନିର୍ବାଚନ ପୂର୍ବରୁ ଏହା କେବଳ ଉଭୟ ନେତାଙ୍କ ମଧ୍ୟରେ ଥିବା ତିକ୍ତତାକୁ ବଢାଇବ, କାରଣ ସିଦ୍ଧୁଙ୍କ ପଦନ୍ନୋତୀ 2022 ନିର୍ବାଚନରେ ଦଳ ବିଜୟୀ ହେଲେ ଅମରିନ୍ଦରଙ୍କ ସ୍ଥାନରେ ପ୍ରାର୍ଥୀ କରିବ। ଆଶୁତୋଷ ପ୍ରଶ୍ନ କରିଛନ୍ତି ଯେ, ” ସିଦ୍ଧୁ ଯିଏକି ବିଭିନ୍ନ ପ୍ରସଙ୍ଗରେ ଅମରିନ୍ଦର ସରକାରଙ୍କୁ ଲଗାତର ଟାର୍ଗେଟ କରି ଆସୁଛନ୍ତି ଏବଂ ପଞ୍ଜାବରେ ବ୍ୟୁରୋକ୍ରାସୀଙ୍କ ବିରୋଧରେ ସ୍ୱର ଉଠାଇ ତାଙ୍କର ଭାବମୂର୍ତ୍ତିକୁ ପ୍ରୋଜେକ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି, ତାକୁ କଣ ଅମରିନ୍ଦର ଚୁପ୍ ଚାପ୍ ସ୍ବୀକାର କରି ନେବେ ଏବଂ ଚାରି ବର୍ଷ ପୂର୍ବେ ପାର୍ଟିରେ ଯୋଗ ଦେଇଥିବା ନେତାଙ୍କ କଥାରେ ସେ ମାନିଯିବେ ?”  

 ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ସମୟରେ ଟିକେଟ୍ ବଣ୍ଟନ, ରାଲି ,ପ୍ରଚାର ଅଭିଯାନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିବାଦ ସୃଷ୍ଟି ହେବ । ସାଧାରଣତଃ ସିଏମ୍ ଏବଂ ଦଳର ସଭାପତି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରନ୍ତି, କିନ୍ତୁ ଯେତେବେଳେ ଉଭୟ ପରସ୍ପରର ଘୋର ବିରୋଧୀ ସେତେବେଳେ ଏହା କାମ କରିବ ନାହିଁ ବୋଲି ପଞ୍ଜାବ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଅଶୂତୋଷ କହିଛନ୍ତି।