(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବାକୁ ଦାବି ଜୋର ଧରିଥିଲା। ଏଥିପାଇଁ କମିଟିର ଅଧ୍ୟକ୍ଷ ଶଶି ଥରୁର ବୈଠକ ଡାକି ଥିଲେ। କିନ୍ତୁ ଶାସକ ଦଳ ବିଜେପି ସଦସ୍ୟ ମାନେ ଏହାର ବିରୋଧ କରିଥିଲେ।

ଏପଟେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ସଂସଦର ଆଇଟି ଷ୍ଟାଣ୍ଡିଂ କମିଟି ମୁଖ୍ୟ ପଦରୁ ହଟାଇବା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ବିଶେଷାଧିକାର ପ୍ରସ୍ତାବ ଆଗତ କରିଛି। ପେଗାସସ୍ ଜାସୁସି ମାମଲାରେ ଗତ କାଲି ଅପରାହ୍ନ ୪ଟା ସମୟରେ ଆଇଟି ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହେବାର ଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ବିଜେପି ସାସଂଦ ମାନେ କଂଗ୍ରେସ ସାଂସଦ ଥରୁରଙ୍କୁ ଏହି ପଦରୁ ହଟାଇବା ପାଇଁ ବିଶେଷାଧିକାର ପ୍ରସ୍ତାବ ଆଣିଥିଲେ।

ଶଶି ଥରୁରଙ୍କୁ ଏହି ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଗତ କରିଥିବା ବିଜେପି ସାଂସଦ ତଥା ଆଇନଜୀବୀ ନିଶକାନ୍ତ ଦୁବେ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଯେ ବିରୋଧୀ ସଂସଦ ଚଲାଇବାକୁ ଚାହୁଁନାହାଁନ୍ତି କିନ୍ତୁ କମିଟି ବୈଠକରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଯାହାକୁ ସରକାର ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ ନୋଟିସ ଉପରେ କୌଣସି ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ କମିଟିର କୌଣସି ବୈଠକ ଅନୁଷ୍ଠିତ ହେବ ନାହିଁ ବୋଲି ଦୁବେ କହିଛନ୍ତି।

ବିଜେପି ସଦସ୍ୟମାନେ ପ୍ୟାନେଲ ବୈଠକରୁ ୱାକ ଆଉଟ୍ କରିବାର ଗୋଟିଏ ଦିନ ପରେ ଏହି ପ୍ରସ୍ତାବ ଆଗତ ହୋଇଥିଲା । ସଂସଦ ଅଧିବେଶନ ଚାଲି ଥିବାବେଳେ କମିଟିର ବୈଠକ ଅନୁଷ୍ଠିତ ଉଚିତ ନୁହେଁ ବୋଲି ବିଜେପି ସଦସ୍ୟ ମାନେ ଯୁକ୍ତି ବାଢିଛନ୍ତି।

୨୦୧୯ରେ ଏହି କମିଟି ହ୍ୱାଟସଆପ୍‌ରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଯାଞ୍ଚ କରିଥିଲା।

ସୂଚନାଯୋଗ୍ୟ, ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର ସହ ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ମିଳିତ ଭାବେ ପେଗାସସ୍‌ ସ୍ପାଇୱେୟାର ଉପରେ ଯାଞ୍ଚ କରିଥିଲେ। ଏହି ସମୟରେ ସମଗ୍ର ବିଶ୍ୱର ପ୍ରାୟ ୫୦ ହଜାର ଫୋନ ନମ୍ବର ପାଗସେସ୍ ଟାର୍ଗେଟରେ ରହିଥିବା ରିପୋର୍ଟ ପ୍ରକାଶ ପାଇଥିଲା।

ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଅଛନ୍ତି । ଏହି ସ୍ପାଇୱେୟାରକୁ ତିଆରି କରିଥିବା କମ୍ପାନୀ କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ ଭାରତ ସରକାର ବିରୋଧୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଓ ମନ୍ତ୍ରୀମାନଙ୍କ ଉପରେ ଜାସୁସି କରିବାକୁ ଏହାର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିବା ସହ ଦେଶକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।