ମୋଗଲ ମାନେ ଆମ ଦେଶର ନାଁ ହିନ୍ଦୁସ୍ତାନ ରଖିଥିଲେ, ମୁଁ ତାଙ୍କୁ ନେଇ ଗର୍ବ କରେ: କଂଗ୍ରେସ ସାଂସଦ ଅବଦୁଲ ଖାଲିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମରୁ କଂଗ୍ରେସର ସାଂସଦ ଥିବା ଅବଦୁଲ ଖାଲିକଙ୍କର ଏକ ବିବାଦୀୟ ବୟାନ ଆସିଛି। ସାଂସଦ ଅବଦୁଲ ଖାଲିକ କହିଛନ୍ତି, ମୋଗଲମାନେ ଭାରତକୁ ଏକ ରୋଡମ୍ୟାପ୍‌ ଦେଇଛନ୍ତି। ମୋଗଲ ମାନେ ଆମ ଦେଶର ନାଁ ହିନ୍ଦୁସ୍ତାନ ରଖିଥିଲେ। ସେମାନେ ଦେଶକୁ ପ୍ରଥମ ଥର ହିନ୍ଦୁସ୍ତାନ କହି ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ମୋଗଲଙ୍କ ବିନା ଦେଶର ସ୍ବାଧୀନତା ସଂଗ୍ରାମ ଅସମ୍ପୂର୍ଣ୍ଣ। ସେଥିପାଇଁ ମୁଁ ତାଙ୍କୁ ନେଇ ଗର୍ବ କରେ।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁସାରେ,ଆସାମର ବାରପେଟା ନିର୍ବାଚନ କ୍ଷେତ୍ରର ଲୋକସଭା ସାଂସଦ ଅବଦୁଲ ଖାଲିକ କହିଛନ୍ତି, ମୋଗଲମାନେ ଛୋଟ ରାଜ୍ୟରେ ବାଣ୍ଟି ହୋଇ ରହିଥିବା ଭାରତକୁ ହିନ୍ଦୁସ୍ତାନ ରୂପ ଦେଇଥିଲେ। ସେଥିପାଇଁ ମୋତେ ମୋଗଲଙ୍କ ଉପରେ ଗର୍ବ ରହିଛି। ତେବେ ମୁଁ ମୋଗଲ ନୁହେଁ, କିନ୍ତୁ ତାଙ୍କର ବଂଶଜ। ସେମାନେ ହିନ୍ଦୁସ୍ତାନକୁ ଏକ ଆକାର ଦେଇଛନ୍ତି।
କଂଗ୍ରେସ ସାଂସଦ ଆହୁରି କହିଛନ୍ତି ଯେ, ମୋଗଲମାନେ ଭାରତରେ ଲାଲ କିଲା ଓ ତାଜମହଲ ଭଳି ସ୍ମାରକ ତିଆରି କରିଥିଲେ। ସେଥିପାଇଁ ଦେଶରେ ତାଙ୍କର ଯୋଗଦାନକୁ ଅଣଦେଖା କରିହେବ ନାହିଁ। ମୋଗଲଙ୍କ ମହତ୍ବ ଏହି କଥାରୁ ଜଣାପଡେ ଯେ, ଦେଶର ସବୁ ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଅବସରରେ ଲାଲକିଲାରୁ ଜାତୀୟ ପତାକା ଉଡାଉଛନ୍ତି। କଂଗ୍ରେସ ସାଂସଦ ଆହୁରି କହିଛନ୍ତି, ଯଦି ଆମେ ମୋଗଲଙ୍କୁ ଏତେ ଘୃଣା କରିବା ତେବେ ଲାଲକିଲାରେ ତ୍ରିରଙ୍ଗା ଉଡାଇବା ଠିକ୍ ହେବନି।ଏହା ସହିତ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବାଶର୍ମାଙ୍କ ଉପରେ ଟାର୍ଗେଟ କରି ଖାଲିକ କହିଛନ୍ତି, ଆମର ମୁଖ୍ୟମନ୍ତ୍ରୀଙ୍କୁ ମୋଗଲଙ୍କ ପ୍ରତି ଆଲର୍ଜି ରହିଛି। ଏପରିକି ସେ କହିଛନ୍ତି, ମୋଗଲ କାଳରୁ ଦିଲ୍ଲୀ ଭାରତର ରାଜଧାନୀ ଥିଲା।

ତେବେ ତାଙ୍କର ଏହି ବୟାନ ବିବାଦୀୟ ହେବାପରେ ସେ ସଫେଇ ଦେଇଛନ୍ତି। କଂଗ୍ରେସ ସାଂସଦ ଅବଦୁଲ ଖାଲିକ କହିଛନ୍ତି, ମୁଁ ଏନେଇ କୌଣସି ଟ୍ବିଟ୍ କରିନି, କେବଳ ଏକ ଟ୍ବିଟ୍‌ ଉପରେ ମୋର କମେଣ୍ଟ ଦେଇଥିଲି। ଏବେ ତାହା ବି ଯଦି ଭାଇରାଲ ହେବ ତେବେ ମୁଁ ବା କ’ଣ କରିପାରିବି? ଏବେ ବି ଖାଲିକ ନିଜର ବୟାନ ଉପରେ କାୟମ ରହିଛନ୍ତି। ସେ ମୋଗଲଙ୍କ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

Related Posts