(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ କୋଭିଡ୍ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନୂଆ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ କରାଯାଇଛି। ନୂଆ ନିୟମ ଅନୁସାରେ କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ।

ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଏବଂ ଦୈତ ନଗରୀରେ ପୂଜା ପାଇଁ ସିପିଙ୍କ ଅନୁମତି ଆବଶ୍ୟକ ବୋଲି ଗାଇଡଲାଇନରେ କୁହାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ କୌଣସି ସାଜସଜ୍ଜା କରାଯାଇପାରିବ ନାହିଁ।

ଏଥର ବି ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ। ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ ଏବଂ ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ। ପୂର୍ବ ଥର ପରି ଏଥର ବି ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ଗାଇଡଲାଇନ ଜାରି କରାଯାଇଛି । ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ।

ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ସେହିପରି ବିସର୍ଜନ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିବା ବେଳେ , ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ଗତ ବର୍ଷ ଭଳି ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ନାହିଁ ଏବଂ ଭୋଜିଭାତ ପାଇଁ ମଧ୍ୟ ବାରଣ କରାଯାଇଛି। ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।