ହକିକୁ ନେଇ ରାଜ୍ୟ ସରକାର ବାହା ବାହା ସାଉଁଣ୍ଟୁ ଥିବା ବେଳେ ଷ୍ଟିକ ବଦଳରେ ଜାଲ ଧରୁଛନ୍ତି ଜାତୀୟ ଖେଳାଳି

hockey star

( ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଥିଲା । ତେବେ ଏହା ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷା ପରେ ଭାରତୀୟ ଦଳ ଏପରି କୀର୍ତ୍ତି ମାନ ସ୍ଥାପନ କରିପାରିଛି । ଏହା ପରେ ପୁରୁଷ ହକି ଦଳର ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସା ସୁଅ ଛୁଟିଥିଲା । ଅପରିପକ୍ଷରେ ଭାରତୀୟ ହକି ଦଳର କ୍ୟାପଟେନ ଏହି ବିଜୟ ପଛରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କାହିଁକି ନା ଉଭୟ ମହିଳା ଏବଂ ପୁରୁଷ ହକି ଦଳକୁ ଓଡିଶା ସରକାର ୫ ବର୍ଷ ପାଇଁ ମୁଖ୍ୟ ପ୍ରଯୋଜକ ଭାବରେ ରହିଥିଲେ । ବାସ ଏହା ପରେ ସାରା ଦେଶର ବିଭିନ୍ନ ପତ୍ରିକା, ଖବରକାଗଜ ଏବଂ ବୈଦୁତିକ ଗଣମାଧ୍ୟମରେ ଓଡିଶା ସରକାରଙ୍କର ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଓଡିଶା ସରକାର ଖେଳାଳିଙ୍କୁ ଅର୍ଥ ରାଶି ଘୋଷଣା ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ନିଯୁକ୍ତି ମଧ୍ୟ କରାଇଥିଲେ । ତେବେ ବିଡମ୍ବନାର ବିଷୟ ଏହା ଯେ ରାଜ୍ୟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ହକି ଖେଳିଛନ୍ତି ।

ହେଲେ ବର୍ତ୍ତମାନ ସେମାନଙ୍କର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଆମେ କହୁଛୁ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା ଲୁଲୁକିଡିହିର ୨୬ ବର୍ଷୀୟ ସନ୍ତୋଷ ମାଝୀଙ୍କ କଥା । ଯିଏକି ଜାତୀୟ ସିନିୟର ପୁରୁଷ ଚାମ୍ପିୟନଶିପରେ ରାଜ୍ୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ହେଲେ ବର୍ତ୍ତମାନ ସ୍ଥିତିରେ ସେ ଅନେକ ଆର୍ଥିକ ସଙ୍କଟରେ ଅଛନ୍ତି । ଏପରିକି ନିଜ ପରିବାରକୁ ପ୍ରତିପୋଷଣ କରିବା ପାଇଁ ପ୍ରବାସୀ ଶ୍ରମିକ ପାଲଟିଯାଇଛନ୍ତି । ଯେଉଁ ଗାଁରେ ପ୍ରବୋଧ ତିର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ ଏବଂ ୮ରୁ ଉର୍ଦ୍ଧ ଅନ୍ତଜାର୍ତୀୟ ଖେଳାଳି ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଥିବା ବେଳେ ସନ୍ତୋଷଙ୍କ ଭଳି ପ୍ରତିଭାବାନ ଖେଳାଳି ବର୍ତ୍ତମାନ ଶ୍ରମିକ ସାଜି ପରିବାର ପ୍ରତିପୋଷଣ କରୁଛନ୍ତି । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ସନ୍ତୋଷ ସ୍ପୋଟ୍ସ ସୁନ୍ଦରଗଡରେ ସ୍ଥାନ ପାଇଥିଲେ । ଏପରିକି ଅନେକ ଜୁନିୟର ଏବଂ ସିନିୟର ହକିରେ ଜାତୀୟ ସ୍ତରରେ ଖେଳିଥିଲେ । ସନ୍ତୋଷ ହକିକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ନିଜ ଗାଁର ଅନ୍ୟ ଖେଳାଳିଙ୍କ ପରି ସନ୍ତୋଷ ଦିନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ପାଇଁ ସ୍ୱପ୍ନ ଦେଖିଥିଲେ ।

ହେଲେ ଅନ୍ୟ କୌଣସି ପଟୁ ସହାୟତା ନ ପାଇ ଶେଷରେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ । ସବୁଠାରୁ ରୋଚକ କଥାଟି ହେଉଛି ଆର୍ଥିକ ଅନଟନରେ ଗତି କରୁଥିବା ସନ୍ତୋଷ ହକିକୁ ସମ୍ପୂର୍ଣ୍ଣ ରୂପେ ଛାଡି ପାରିନଥିଲେ । ନିଜ ଘରର ବାଡି ପଟେ ସମୟ ପାଇଲେ ହକି ଅଭ୍ୟାସ କରିବା ପାଇଁ ଚାଲିଯାଉଥିଲେ ସନ୍ତୋଷ । ଏ ବିଷୟରେ ସନ୍ତୋଷକୁ ପଚାରିବାରୁ ସେ କହିଛନ୍ତି ମୋ ମୋ ପାଖରେ କିଛି ଉପାୟ ନଥିବାରୁ ବାହାରେ ଯାଇ ଦାଦନ ଖଟୁଛି। ଯଦି ହକିରେ ମୋର କୌଣସି ଭବିଷ୍ୟତ ଥାନ୍ତା, ତାହେଲେ ମୁଁ ନିଶ୍ଚୟ ହକି ଖେଳିଥାନ୍ତି। କାରଣ ମୁଁ ହକି ଖେଳିବାକୁ ସବୁବେଳେ ଭଲପାଏ। ଅନ୍ୟପଟେ ଯଦି ଆମେ ଜିଲ୍ଲାର ଅନ୍ୟ ଖେଳାଳିଙ୍କୁ ଦେଖିବା ତାହାଲେ ଚଳିତ ବର୍ଷ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତି ସେମାନେ ରାଜ୍ୟ ତଥା ଦେଶର ନାମକୁ ଗୌରବାନ୍ନିତ କରିଛନ୍ତି । ତାଙ୍କୁ ସମ୍ମାନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଅର୍ଥ ରାଶି ଘୋଷଣା କରିବା ସହ ପୁଲିସ ଡିଏସପି ପଦରେ ନିଯୁକ୍ତ କରାଇଛନ୍ତି ।

ହେଲେ ବିଡମ୍ବନାର ବିଷୟ ଯେ ସନ୍ତୋଷଙ୍କ ଭଳି ଜଣେ ପ୍ରତିଭାବାନ ଖେଳାଳି ହକିକୁ ଛାଡି ଶ୍ରମିକ ସାଜିଛନ୍ତି । ଏ ବାବାଦରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ସନ୍ତୋଷଙ୍କ ଭଳି ଅନ୍ୟ ପ୍ରତିଭାବାନ ଖେଳାଳିଙ୍କୁ ଖୋଜିବା ପାଇଁ ଚେଷ୍ଟା ଚାଲିଛି ଏବଂ ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯୋଜନା ଚାଲିଛି ବୋଲି କହିଥିଲେ । ବାସ୍ତବରେ ଓଡିଶା ହକିକୁ ନେଇ ସାରା ବିଶ୍ୱରେ ପରିଚିତ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିବା ଅତ୍ୟନ୍ତ ନିନ୍ଦନୀୟ । ତେବେ ବର୍ତ୍ତମାନ ଦେଖିବାର ବିଷୟ ଯେ ରାଜ୍ୟ ସରକାର ସନ୍ତୋଷଙ୍କ ଭଳି ଆହୁରି ପ୍ରତିଭାବାନ ଖେଳାଳିଙ୍କୁ ଖୋଜି କେବେ ଥଇଥାନ କରାଉଛନ୍ତି ।

Related Posts