(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତାମିଲନାଡୁ ବିଧାନ ସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଡିଏମକେ ସରକାର ଗଠନ ହେବା ପରେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନୀବେଲ ତ୍ୟାଗରାଜନ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୩ ଟଙ୍କା ଟ୍ୟାକ୍ସ ଛାଡ ନେଇ ଘୋଷଣା କରିଛନ୍ତି । ଯାହା ଫଳରେ ରାଜ୍ୟକୁ ବାର୍ଷିକ ୧୧୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ । ଏହା ବ୍ୟତୀତ ବଜେଟରେ ଚାକିରୀ, ପେନ୍ସନ୍ ଏବଂ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି ।
ଏହାସହ ୫୦୦ କୋଟି ଟଙ୍କା ବିନିଯୋଗରେ ସେଣ୍ଟର ଫର କ୍ଳାଇମେଟ ଚେଞ୍ଜ ସ୍ଥାପନା କରାଯିବା ନେଇ ଅର୍ଥ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜେଟରେ ୨୦ ହଜାର କୋଟି ଟଙ୍କାର କ୍ରେଡିଟ ଲୋନ ବିତରଣ କରାଯିବ ବୋଲି କୁହାଯାଇଛି । ଏହା ସଙ୍ଗେ ସଙ୍ଗେ ରାଜ୍ୟରେ ପୋଲିସ ବିଭାଗରେ ଖାଲି ପଡ଼ିଥିବା ୧୪୩୧୭ ପଦବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି ଘୋଷଣା କରାଯାଇଛି ।
ବଜେଟ୍ ହାଇଲାଇଟ୍
> ତାମିଲନାଡୁ ସରକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ଏକ୍ସାଇଜ୍ ଡ୍ୟୁଟି ୩ ଟଙ୍କା ହ୍ରାସ କରି ପେଟ୍ରୋଲ ଦର ହ୍ରାସ କରିଛନ୍ତି।
> ଏହା ବ୍ୟତୀତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ସେହି ପରିବାରଗୁଡିକ ଚିହ୍ନଟ କରାଯିବ ଯେଉଁ ପରିବାରର ମହିଳାମାନଙ୍କୁ ପ୍ରତିମାସରେ ଏକ ହଜାର ଟଙ୍କା ସହାୟତା ଦିଆଯିବ।
> କୋଏମ୍ବାଟୁରରେ ୫୦୦ ଏକର ଜମିରେ ପ୍ରତିରକ୍ଷା ଶିଳ୍ପ ପାର୍କ ସ୍ଥାପନ କରାଯିବ। ଏଥିପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।
> ମହିଳାଙ୍କ ବସ୍ ଯାତ୍ରା ପାଇଁ ସବସିଡି ବାବଦକୁ ୭୦୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
> ଆସନ୍ତା ୧୦ ବର୍ଷ ମଧ୍ୟରେ ବୃକ୍ଷରୋପଣ କରାଯିବ। ଏହା ବ୍ୟତୀତ ଚାଷଜମିକୁ ଜଳସେଚନ ପାଇଁ ୬୬୦୭ କୋଟି ଟଙ୍କା ବଜେଟ୍ ରଖାଯାଇଛି।
> ଜଳ ଶକ୍ତି ଯୋଜନା ଅଧୀନରେ ପାନୀୟ ଜଳ ପାଇଁ ୨ ହଜାର କୋଟି ଟଙ୍କା ବଜେଟ୍ ରଖାଯାଇଛି। ଏହା ବ୍ୟତୀତ ୨୭ ଟି ସହରରେ ଏକ ଭୂତଳ ଜଳ ନିଷ୍କାସନ ଯୋଜନା ମଧ୍ୟ ଘୋଷଣା କରାଯାଇଛି।
> ରାଜ୍ୟରେ ୧୦ ଟି ନୂତନ କଳା ଏବଂ ବିଜ୍ଞାନ କଲେଜ ଖୋଲିବାକୁ ଘୋଷଣା କରାଯାଇଛି।
> ଏହା ବ୍ୟତୀତ ଉଚ୍ଚଶିକ୍ଷା ପାଇଁ ୫୩୬୯ କୋଟିର ବଜେଟ୍ ଆବଣ୍ଟନ କରାଯାଇଛି। ସରକାରୀ କଲେଜଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ ତିଆରି ପାଇଁ ୧୦ କୋଟିର ବଜେଟ୍ ମଧ୍ୟ ରଖାଯାଇଛି।
> ଏହା ବ୍ୟତୀତ ରାଜ୍ୟ ସରକାର ଯେଉଁ ପିଲାମାନଙ୍କର ପିତାମାତା କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ଶିକ୍ଷା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ।
