ବର୍ଦ୍ଧିତ ତେଲ ଦରକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀକୁ ବିମାନ ଭିତରେ ଘେରିଲେ ଜଣେ କଂଗ୍ରେସ ନେତ୍ରୀ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ବଢ଼ୁଛି ତେଲ ଦର । ଯାହାକୁ ନେଇ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି କେନ୍ଦ୍ର ସରକାର । ବର୍ଦ୍ଧିତ ଦରକୁ ନେଇ ବିରୋଧି ସରକାରଙ୍କୁ ଦାୟୀ କରୁଥିବା ବେଳେ, ଏହି ବର୍ଦ୍ଧିତ ଦରକୁ ନେଇ ବିମାନ ଭିତରେ ଅକଳରେ ପଡ଼ିଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାଣୀ। ଆଜି ବିମାନରେ ଯାତ୍ରା ବେଳେ ଜଣେ କଂଗ୍ରେସ ନେତ୍ରୀ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ହଠାତ୍‌ ତାଙ୍କୁ ଘେରିଥିଲେ। ଫଳରେ ସ୍ମୃତି ଇରାଣୀ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। କଂଗ୍ରେସ ନେତ୍ରୀଙ୍କ ପ୍ରଶ୍ନରେ ହଡ଼ବଡ଼ ହୋଇ ଯାଇଥିଲେ ସ୍ମୃତି ଇରାଣୀ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ।

କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା, ସ୍ମୃତି ଇରାଣୀଙ୍କୁ ତେଲ ଦର କଥା ପଚାରି ତାଙ୍କୁ ଅଡ଼ୁଆରେ ପକାଇ ଥିଲେ। ଦିଲ୍ଲୀ-ଗୌହାଟି ବିମାନରେ ଉଭୟ ନୀତା ଡି ସୌଜା ଏବଂ ସ୍ମୃତି ଇରାଣୀ ମୁହାଁମୁହିଁ ହୋଇଥିଲେ। ହଠାତ ତେଲ ଦର ପଚାରିବାରୁ ସ୍ମୃତି ଇରାଣୀ କିଛି ଉତ୍ତର ଦେଇଥିଲେ ମଧ୍ୟ ତାହା ସନ୍ତୋଷଜନକ ନଥିଲା। ଫଳରେ ନୀତା ତାଙ୍କୁ ଛାଡ଼ି ନଥିଲେ। ଏହି ସମୟରେ ନିଜ ମୋବାଇଲରେ ଭିଡିଓ କରି ରେକର୍ଡ଼ କରିଥିଲେ କଂଗ୍ରେସ ନେତ୍ରୀ । ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି ସେ। ସେ କହିଛନ୍ତି ଯେ, ଆଜି ମୋଦିଙ୍କ ମନ୍ତ୍ରିଙ୍କ ସହ ଭେଟ ହୋଇଥିଲା । ମୁଁ ତେଲ ଓ ଗ୍ୟାସ ଦର କଥା ପଚାରିବାରୁ ସ୍ମୃତି ଇଣାଣୀ ମାଗଣା ଟିକା ଓ ଗରିବଙ୍କୁ ମାଗଣା ରାସନ ପ୍ରଦାନକୁ ଦାୟୀ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ତାଙ୍କ ବାଟ ଅବରୋଧ କରୁଥିବା ସ୍ମୃତି ଇରାଣୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି ୧୧୫ ଟଙ୍କା ଅତିକ୍ରମ କରିଛି। ୧୬ ଦିନରେ ଲିଟର ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଛୁଇଁଛି। ସେହିପରି ଡିଜେଲ ଦାମ ୯୬,୬୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କା ଏବଂ ଡିଜେଲ ୧୦୪.୭୭ ଟଙ୍କାରେ ବିକ୍ରି ହେଉଛି ।

Related Posts