(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ଆଉ ଚାଲିପାରିବନି ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡି । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମିିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ସମସ୍ତ ପୁରୁଣା ଗାଡିର ଚିହ୍ନଟ ସରିଛି । ଏଥିପାଇଁ ପରିବହନ ବିଭାଗ ତା’ର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିବାର ସୂଚନା ମିଳିଛି । ଅପରିପକ୍ଷରେ ରାଜ୍ୟରେ ବର୍ତ୍ତମାନ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡି ରହିଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ ଅଟୋମୋବାଇଲ ସ୍କ୍ରାପେଜ ପଲିସି ଆରମ୍ଭ କରିଥିଲେ । ଅର୍ଥାତ ୧୫ ବର୍ଷରୁ ଅଧିକ ଯାନବାହନ ଗୁଡିକ ରାସ୍ତାରେ ଚାଲିପାରିବ ନାହିଁ । ସେହିପରି ଦେଶରେ ୨୦ ବର୍ଷରୁ ଅଧିକ ୫୧ ଲକ୍ଷ ହାଲୁକା ମୋଟର ଯାନ ଏବଂ ୧୫ ବର୍ଷରୁ ଅଧିକ ୩୪ ଲକ୍ଷ ହାଲୁକା ମୋଟର ଯାନ ରହିଛି ।

ଏହା ବ୍ୟତୀତ ପ୍ରାୟ ୧୭ ଲକ୍ଷ ମଧ୍ୟମ ଏବଂ ଭାରୀ ବ୍ୟବସାୟିକ ଯାନ ଅଛି । ଯାହା ୧୫ ବର୍ଷରୁ ଅଧିକ ପୁରୁଣା ଏବଂ ଏହାର ବୈଧ ଫିଟନେସ୍ ସାର୍ଟିଫିକେଟ୍ ନାହିଁ। ପୁରୁଣା ଯାନଗୁଡିକ ଫିଟ୍ ହୋଇଥିବା ଯାନ ଅପେକ୍ଷା ୧୦ ରୁ ୧୨ ଗୁଣ ଅଧିକ ପରିବେଶକୁ ପ୍ରଦୂଷିତ କରୁଛି ଏବଂ ସଡକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ସମସ୍ତ ପୁରୁଣା ଯାନମାନଙ୍କୁ ରାଜରାସ୍ତାରେ ଚାଲିବା ପାଇଁ ଅନୁମତି ନାହିଁ । ତେଣୁ ତାଙ୍କ ମନ୍ତ୍ରାଳୟ ରାସ୍ତାରେ ଯାନବାହାନ ଏବଂ ଯାତ୍ରୀଙ୍କ ସୁରକ୍ଷା ଏବଂ ପରିଷ୍କାର ପରିବେଶ ପାଇଁ ସ୍କ୍ରାପିଂ ନୀତି ଆରମ୍ଭ କରିଛି। ଏହି ନୀତି ଦ୍ୱାରା ସ୍ୱଚ୍ଛେକୃତ ଭାବରେ ଯାନଗୁଡିକର ଆଧୁନିକୀକରଣର କାର୍ଯ୍ୟକ୍ରମ ହେବ ।

ସ୍କ୍ରାପିଂ ନୀତି ଦ୍ୱାରା ୨୦ ବର୍ଷରେ ଘରୋଇ ଗାଡ଼ି ଏବଂ ୧୫ ବର୍ଷ ପରେ ବ୍ୟବସାୟିକ ଗାଡ଼ି ଅନ୍ ଫିଟ୍ ବୋଲି ଘୋଷିତ ହେବ। ଏହି ଅବଧି ପରେ ଯଦି ଜଣେ ଗାଡି ମାଲିକ ବ୍ୟବହାର କରିବେ ତା’ ହେଲେ ତାଙ୍କୁ ଗାଡ଼ିର ଫିଟନେସ ବ୍ୟବହାର କରିବାକୁ ହେବ। ସ୍କ୍ରାପିଂ ସାର୍ଟିଫିକେଟ ଦେଖାଇ ନୂଆ ଗାଡ଼ି କିଣିଲେ ୪-୬ ପ୍ରତିଶତ ଡିସକାଉଣ୍ଟ ମିଳିବ ବୋଲି ସୂଚନା ମିଳିଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍କ୍ରାପିଂ ପଲିସି ଓଡିଶାରେ କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।