(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ପିଲାଙ୍କୁ ଦିଆଯିବ କୋଭିଡ ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ପ୍ରିୟା ଆଭାରାମ କହିଛନ୍ତି ଯେ , କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି। ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପ୍ରକ୍ରିୟା ଚାଲୁ ରହିଛି।

କୋଭାକ୍ସିନ୍ ଟ୍ରାଏଲରେ ୫୨୫ ଜଣ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ ହୋଇଥିବାବେଳେ ZyCov-D ର ଟ୍ରାଏଲର- ଦ୍ୱିତୀୟ ପର୍ଯ୍ୟାୟ ତୃତୀୟ କ୍ଲିନିକାଲ୍ ଅଧ୍ୟୟନରେ ୧୨ ରୁ ୧୮ ବୟସ ଶ୍ରେଣୀରେ ୧୦୦୦ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ । ଭାରତର ଡ୍ରଗ୍ ରେଗୁଲେଟରର ବିଶେଷଜ୍ଞମାନେ ZyCov-D ର ତଥ୍ୟକୁ ଅନୁମୋଦନ ପାଇଁ ମୂଲ୍ୟାଙ୍କନ କରୁଛନ୍ତି । କମ୍ପାନୀ କହିଛି ଯେ ଏହାର କ୍ଲିନିକାଲ୍ ଟ୍ରାଏଲରେ ୬୬.୬ % ସଫଳତା ଦେଖାଦେଇଛି। 

ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା, ଯାହାକି ବ୍ୟବହାର ଉପଯୋଗୀ ହେବ। ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲର ଏମ ଆରଏନଏ ଟିକା ବାୟୋଲୋଜିକାଲ-ଇ ଭ୍ୟାକ୍ସିନ, ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଏହାସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ କହିଛନ୍ତି। ସେ କହିଛନ୍ତି, ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ ଭାରିଆଣ୍ଟ କମ୍ ସଂକ୍ରମଣ କରିବ। ଡେଲଟା ଭାରିଆଣ୍ଟ ୧୩୦ରୁ ଅଧିକ ଦେଶରେ ଦେଖାଦେଇଛି। ଏହା ଅତି ଶକ୍ତିଶାଳୀ। ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଇଛି ଯେ, ସେମାନଙ୍କ ଆଣ୍ଟିବଡି ସୃଷ୍ଟି ପରିମାଣ ଦୁଇ-ତିନି ଗୁଣ ହ୍ରାସ ପାଇଛି। ତେବେ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି। 

ଏପଟେ କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରୁଥିବା ବିଶେଷଜ୍ଞ ମାନେ ସୂଚାଇ ଦେଇଛନ୍ତି ଯେ କୋଭାକ୍ସିନର ମୂଲ୍ୟାଙ୍କନ କରିବା ସହଜ ହୋଇପାରେ କାରଣ ଏହା ପୂର୍ବରୁ ବ୍ୟବହାର ହୋଇସାରିଛି ଏବଂ ଫଳପ୍ରଦ ହାର ମଧ୍ୟ ରେକର୍ଡ କରାଯାଇଛି।