
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ଦେହାନ୍ତ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ସଂଗ୍ରାମଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା । ଗତ ୮୪ ଦିନ ହେବ ସେ ଇକ୍ମୋ ଚିକିତ୍ସାରେ ରହିଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ମଧ୍ୟ ଆସିଥିଲା। ତେବେ ଗୁରୁବାର ଅର୍ଥାତ୍ ଆଜି ସକାଳେ ତାଙ୍କର ହୃଦ୍ଘାତରେ ପରଲୋକ ଘଟିଛି ।
କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଗତ ମେ’ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା।
ସୂଚନା ମୁତାବକ ସଂଗ୍ରାମଙ୍କ ମୃତଦେହକୁ ଓଡ଼ିଶା ଅଣାଯିବ। ତେବେ କେଉଁଠି ତାଙ୍କର ଅନ୍ତିମ ସଂସ୍କାର କରାଯିବ, ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ସଂଗ୍ରାମ ଜେନା ୨୦୧୪ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ।