(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବ୍ୟାଙ୍କ ପାସବୁକ୍‌ ସହ ବାଧ୍ୟତାମୂଳକ ଆଧାରକାର୍ଡ ଲିଙ୍କ ଲକ୍ଷାଧିକ ଶ୍ରମିକଙ୍କ ପାଇଁ ଏବେ କାଳ ସାଜିଛି। ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ଥିବାବେଳେ ବ୍ୟାଙ୍କ ପାସବୁକ୍‌ ସହ ବାଧ୍ୟତାମୂଳକ ଆଧାରକାର୍ଡ ଲିଙ୍କ ନକରି ସରକାରୀ ସହାୟତାରୁ ଲକ୍ଷ ଲକ୍ଷ ଶ୍ରମିକ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ସରକାରଙ୍କ ଏହି ନିୟମ ସଂପର୍କରେ ଅବଗତ ନଥିବାରୁ ଅନେକ ଶ୍ରମିକ ସରକାରୀ କୋଭିଡ୍‌ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଆଉ ଏକ ସମସ୍ୟା ହେଉଛି ଶ୍ରମିକଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମର ବନାନରେ ତାଳମେଳ ରହୁନଥିବାରୁ ସେମାନେ ଚାହିଲେ ବି ସେମାନଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ହୋଇପାରୁନାହିଁ। ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ସମସ୍ୟା ଯୋଗୁଁ ୧୧ଲକ୍ଷ ୮୧ ହଜାର ୯୦୭ ଶ୍ରମିକ ସରକାରୀ କୋଭିଡ୍‌ ସହାୟତାରୁ ବଞ୍ଚିତ ହୋଇଛନ୍ତି।

କାରୋନା , ଲକଡାଉନ୍‌ ଓ ସଟଡାଉନ୍ ଭଳି କଟକଣା ଯୋଗୁଁ ନିର୍ମାଣ ଶ୍ରମିକମାନଙ୍କ ପାଖରେ ରୋଜଗାରର ବାଟ ବନ୍ଦ ହୋଇଯାଇଥିଲା। ରୋଜଗାରର ନଥିବାରୁ ପରିବାର ଚଳାଇବା ସେମାନଙ୍କ ଚିନ୍ତାର ବିଷୟ ପାଲଟିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୦୦ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଘୋଷଣା କରାଯାଇଥିଲା। ଏଥିରେ ୨୬ ଲକ୍ଷ ୮୫ହଜାର ଶ୍ରମିକଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ପଂଜୀକୃତ ନିର୍ମାଣ ଶ୍ରମିକ ଏବଂ ଇଟାଭାଟି ଶ୍ରମିକଙ୍କୁ ଟଙ୍କା ଦିଆଯିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୪ ହଜାର ୨୨୯ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୫୧ ହଜାର ୬୯୧ ଶ୍ରମିକଙ୍କୁ ଟଙ୍କା ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ୧୨ଲକ୍ଷ ୩୦ ହଜାର ୫୭୨ ଶ୍ରମିକଙ୍କ ଆଧାରକାର୍ଡ ସହ ବ୍ୟାଙ୍କ ପାସବୁକ୍‌ ଲିଙ୍କ‌‌ରେ ସମସ୍ୟା ଥିବାରୁ ସେମାନଙ୍କୁ ଟଙ୍କା ଦିଆଯାଇ ପାରିନଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮ ହଜାର ୬୬୫ଜଣ ଶ୍ରମିକ ଲିଙ୍କ କରି ସାରିଛନ୍ତି।

ଚିନ୍ତା ଜନକ ବିଷୟ ହେଉଛି ଯେ ଲକ୍ଷାଧିକ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇ ନଥିବାରୁ ସେମାନେ ଏହି ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଶ୍ରମିକମାନେ କହିଛନ୍ତି, ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ୍‌ରେ ନାମର ବନାନ ଅଲଗା ଥିବାରୁ ଲିଙ୍କ ହୋଇପାରୁ ନାହିଁ। ଅନେକ ଶ୍ରମିକ ଏଭଳି ଲିଙ୍କ କରିବା ପ୍ରକ୍ରିୟା ସମ୍ପର୍କରେ ଜାଣି ନାହାନ୍ତି। ଏଭଳି ସ୍ଥିତିରେ ସେମାନେ କ’ଣ କରିବେ, ବୁଝି ପାରୁନାହାନ୍ତି। କୋଭିଡ୍‌ ତାଙ୍କ ଜୀବିକା ନେଲା, ବର୍ତ୍ତମାନ ଜଟିଳ ପ୍ରଶାସନିକ ପ୍ରକ୍ରିୟା ସାଧାରଣ ସହାୟତାରୁ ବଞ୍ଚିତ କରୁଛି।

ତେବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ , କୋଭିଡ୍‌ ସହାୟତା ପ୍ରଦାନର କୌଣସି ସମୟସୀମା ନାହିଁ। ଶ୍ରମିକମାନେ ଯେବେ ମଧ୍ୟ ଆଧାର କାର୍ଡ ସହିତ ପାସବୁକ ଲିଙ୍କ କରାଇଦେବେ, ତାଙ୍କୁ ଟଙ୍କା ମିଳିଯିବ। ଆଧାରକାର୍ଡ ଏବଂ ପାସବୁକ୍‌ ଲିଙ୍କ ସବୁ କାର୍ଯ୍ୟ‌‌‌‌ରେ ବ୍ୟବହାରରେ ଆସିଥାଏ। ତେଣୁ ଶ୍ରମିକମାନେ ଏଥିପ୍ରତି ଗୁରୁତ୍ବ ଦେବା ଉଚିତ।