(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଗ୍ରାମରକ୍ଷୀଙ୍କୁ ଘରୁ ଡାକି ନେଇ ଗୁଳି କରିଦେଲେ ନକ୍ସଲ। 

ଏପରି ଅମାନବୀୟ କାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରେ । ଗ୍ରାମର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ଅଧିକ ନକ୍ସଲ ଟିକରପଡ଼ା ଗାଁରେ ପହଞ୍ଚିଥିଲେ। 

ଏହାପରେ ସେମାନେ ସନ୍ତୋଷଙ୍କ କବାଟ ବାଡ଼େଇ ତାଙ୍କୁ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା ଉପରକୁ ନେଇଯାଇଥିଲେ।  ସେଠାରେ ମାଓବାଦୀ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମାଓବାଦୀ ଏକ ଚିଠି ଛାଡ଼ି ଯାଇଛନ୍ତି । 

ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି । ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ହାତ ଲେଖା ଚିଠି ଛଡ଼ାଯିବା ସହ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଇଛି ।

ପୂର୍ବରୁ ମାଓବାଦୀ ସନ୍ତୋଷ ଦଣ୍ଡସେନାକୁ ଅନେକ ଥର ପୋଲିସ୍ ଇନଫର୍ମର କାମରୁ ନିବୃତ୍ତ ରହିବା ପାଇିଁ ଚେତାବନୀ ଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଅନ୍ୟ ପକ୍ଷରେ ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍‌ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।