(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାସ ଆରମ୍ଭରୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ। ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜିଠାରୁ ଅଣ-ରିହାତି ରନ୍ଧନ ଗ୍ୟାସ୍‌ ଦର ସିଲିଣ୍ଡର୍‌ ପିଛା ୨୫ଟଙ୍କା ମହଙ୍ଗା ହୋଇଛି। ସେହିପରି ‘କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର୍‌ ଦର ମଧ୍ୟ ସିଲିଣ୍ଡର୍‌ ପିଛା ୭୫ଟଙ୍କା ବୃଦ୍ଧି ପାଇଛି। ଏପଟେ ଗ୍ୟାସ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ୫୦ ଟଙ୍କା ବଢିଲାଣି ଏଲପିଜି ସିଲିଣ୍ଡର ।

ତୈଳଦର ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଖାଉଟିଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ରାଷ୍ଟ୍ରାୟତ ତୈଳ କମ୍ପାନିମାନେ ଧାର୍ଯ୍ୟ କରିଥିବା ଉପରୋକ୍ତ ବର୍ଦ୍ଧିତ ମୂଲ୍ୟ ହିସାବରେ, ସମ୍ପ୍ରତି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଗୋଟିଏ ୧୪.୨ କି.ଗ୍ରା. ଅଣ-ରିହାତି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ର ମୂଲ୍ୟ ଏବେ ୮୮୪.୫୦ ଟଙ୍କା ପଡ଼ିବ । 

ଏହାପୂର୍ବରୁ ଅଗଷ୍ଟ ୧୭ରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା। ପୂର୍ବରୁ ଜୁଲାଇ ପହିଲାରେ ମଧ୍ୟ ‘ଏଲ୍‌ପିଜି ସିଲିଣ୍ଡର୍‌’ର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା। ଆଜି ଦିନକୁ ମିଶାଇ ରନ୍ଧନ ଗ୍ୟାସ୍‌ ଦର ଲଗାତାର ଗତ ୩ ମାସ ହେବ ୭୫ଟଙ୍କା ମହଙ୍ଗା ହେଲାଣି।

ତେବେ ଉଲ୍ଲେଖନୀୟ କଥା ହେଉଛି ଗତ ୭ ବର୍ଷ ମଧ୍ୟରେ ‘ଏଲ୍‌ପିଜି’ ଦର ୨ଗୁଣ ବୃଦ୍ଧି ପାଇଛି। ୨୦୧୪ ମାର୍ଚ ୧ ତାରିଖରେ ଗୋଟାଏ ‘ରିଫିଲ ଏଲ୍‌ପିଜି ସିଲିଣ୍ଡର୍‌’ ଦର ଥିଲା ୪୧୦.୫୦ ଟଙ୍କା । ବର୍ତ୍ତମାନ ଏହା ବୃଦ୍ଧି ପାଇ ୮୫୯.୫୦ର ପହଞ୍ଚି ପ୍ରାୟ ଦୁଇଗୁଣ ହୋଇଯାଇଛି। 

ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ଟିକସ ରହିଛି , ଯେଉଁ କାରଣରୁ ଏହାର ମୂଲ୍ୟରେ ଅପ୍-ଡାଉନ୍ ହେଉଛି। ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ଟି ଘରୋଇ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ଯଦି ଜଣେ ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଉଛନ୍ତି, ତେବେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିବ