ସାମ୍ନାକୁ ଆସିଲା ଆଉ ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ବିଶ୍ୱବିଜୟୀ ନ୍ୟୁଜ ଓଡିଶାର ସାମ୍ବାଦିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା ।ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାରୁ ସାମ୍ନାକୁ ଆସିଛି । ନିଜକୁ ୱେବ ପୋର୍ଟାଲର ସାମ୍ବାଦିକ କହି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ହେମନ୍ତ ଟାକରି ନାମକ ଯୁବକ ଓ ତାଙ୍କ ସାଥୀ । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଛନ୍ତି ହେମନ୍ତ ଟାକ୍ରିଙ୍କ ସମେତ ୫ ଗଞ୍ଜେଇ ଚାଲାଣକାରୀ । 

ସେ କୋରାପୁଟ ବୈପାରୀଗୁଡ଼ାର ବିଶ୍ୱବିଜୟୀ ଓଡିଶା ନାମକ ଏକ ୱେବ ପୋର୍ଟାଲ ସାମ୍ବାଦିକ ବୋଲି ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଏକ ପିକଅପ ଭ୍ୟାନ୍ ଯୋଗେ ଦେଢ ଟନ ଗଞ୍ଜେଇ କୋରାପୁଟର ଜୟପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ପିକ୍ଅପ ଭ୍ୟାନଟିକୁ ଏକ କାର ଯୋଗେ ଏସକର୍ଟ କରି ନେଉ ଥିଲେ ଅଭିଯୁକ୍ତ ହେମନ୍ତ ଟାକରି । 

ତେବେ ପୋଲିସ  ପ୍ରଥମେ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଗାଡି ଚାଳକ ଗାଡି ନଅଟକାଇବାରୁ ମୁଦୁଲିପଡା ପୁଲିସ ଖବର ପାଇ ଗାଡି ଗୁଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲେ । ଗା଼ଡ଼ି ଯାଂଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା।  ଏହାପରେ ୨ଟି ଗାଡି ଓ ୫ ଜଣଙ୍କୁ ମୁଦୁଲିପଡା ଥାନାକୁ ନେଇ ପଚରା ଉଚରା କରିଥିଲା ପୋଲିସ । ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ କୋଟି ହବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମନ ଦ୍ୱିବେଦୀ କହିଛନ୍ତି। 

ଅପରପକ୍ଷରେ , ୱେବ ପୋର୍ଟାଲ ସାମ୍ବାଦକ ପରିଚୟ ଦେଇ ଗଂଜେଇ ଚୋରା ଚାଲାଣ ଅଭିଯୋଗ ମାମଲାରେ ସ୍ପଷ୍ଟୀକରଣ ରଖିଛନ୍ତି ୱେବ ପୋର୍ଟାଲର ସମ୍ପାଦକ । ସେ କହିଛନ୍ତି, ମେ’ ୩୧ ତାରିଖରୁ ବୈପାରୀଗୁଡା ବ୍ଲକ ସାମ୍ବାଦିକଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି । ନିଜକୁ ବଂଚେଇବାକୁ ପାଇଁ ଅଭିଯୁକ୍ତ ବିଶ୍ୱବିଜୟୀ ନାଁ ନେଇଥିବା କୁହାଯାଇଛି । ଅଭିଯୁକ୍ତ ହେମନ୍ତ ଟାକିରିଙ୍କ ଏଭଳି ବେଆଇନ୍ କାର୍ଯ୍ୟ ପାଇଁ ବିଶ୍ୱବିଜୟୀ ୱେବ ଚ୍ୟାନେଲ ଦାୟୀ ନୁହେଁ ବୋଲି ସମ୍ପାଦକଙ୍କ ପକ୍ଷରୁ କୁହାଯାଇଛି ।

Related Posts