(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୨ଜଣ ଆଇଏଏସ୍ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ ଆଇଏଏସ୍ ଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ ଦିଆଯାଇଛି । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ କରାଯାଇଛି। ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍)ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭାବେ ଦାୟିତ୍ୱ ତୁଲାଇବେ।
ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କାରଣ ଡ. ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ ଭାବେ କାର୍ଯ୍ୟ ତୁଲାଇବା ସଙ୍ଗେ ସଙ୍ଗେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ।
ସେହିପରି ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମିଶ୍ର ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଓଏସ୍ଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
